ପୁଣି ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ ମେଟା
24/05/2023 at 9:10 PM

ନୂଆଦିଲ୍ଲୀ, ୨୪/୦୫: ଫେସବୁକ୍, ହ୍ବାଟ୍ସଆପ୍ର ପ୍ୟାରେଣ୍ଟ କମ୍ପାନି ମେଟା ଜାରି ରଖିଛି ଛଟେଇ। କମ୍ପାନି ପ୍ରଥମେ ଗତ ବର୍ଷ ନଭେମ୍ବରରେ ଏହାର ୧୧ ହଜାର କର୍ମଚାରୀଙ୍କ ଛଟେଇ କରିଥିବାବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଜାରି ରଖିଛି ଛଟେଇ। ଏହି ଛଟେଇ ଦ୍ବାରା ପ୍ରଭାବିତ ହୋଇଛନ୍ତି କର୍ମଚାରୀ।
ଏହାପରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସିଇଓ ମାର୍କ ଜୁକରବର୍ଗ ପୁଣି ଘୋଷଣା କରିଥିଲେ ଯେ, ଆଗାମୀ କିଛି ମାସରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାୟ ୧୦ ହଜାର କର୍ମଚାରୀଙ୍କ ଛଟେଇ କରାଯିବ। ଏହା ପରେ ହିଁ ଏପ୍ରିଲ ମାସରେ ୪ ହଜାର କର୍ମଚାରୀଙ୍କ ଛଟେଇ କରାଯାଇଥିଲା। ଆଉ ବର୍ତ୍ତମାନ ଏହି କ୍ରମରେ ମେଟା ଏହାର ଭିନ୍ନ ଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ, ଫେସବୁକ୍, ହ୍ବାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମରୁ ପ୍ରାୟ ୬ ହଜାର ଲୋକଙ୍କ ଛଟେଇ କରିବାକୁ ଯାଉଛି। ଏନେଇ ଲିଙ୍କ୍ଡଇନ୍ ମାଧ୍ୟମରେ କର୍ମଚାରୀ ଛଟେଇ ନେଇ ସୂଚନା ଦେଇଛନ୍ତି।
ଅଧିକାଂଶ ଛଟେଇ ଅଣ ଇଞ୍ଜିନିୟରିଂ ପଦରେ ହୋଇଛି। ଏହି ଛଟେଇ ଆଡ୍ ସେଲ୍ସ ଟିମ୍, ମାର୍କେଟିଙ୍ଗ୍ ଏବଂ ପାର୍ଟନରସିପ୍ ଟିମରେ କରାଯାଉଛି। ଆୟରେ କିଛି ମାସରେ ହ୍ରାସ ଏବଂ ଦରବୃଦ୍ଧି ଏବଂ ଡିଜିଟାଲ ବିଜ୍ଞାପନରେ ହ୍ରାସର କାରଣ ବୋଲି କହିଥିଲା। ପ୍ରକୃତରେ କରୋନା ସମୟରେ କମ୍ପାନି ୨୦୨୦ରେ ଅତ୍ୟଧିକ ନିଯୁକ୍ତି କରିଥିଲା। ଏହି ନିଯୁକ୍ତି ପରେ କମ୍ପାନି କର୍ମଚାରୀଙ୍କ ସଂଖ୍ୟା ଦୁଇଗୁଣା ହୋଇଯାଇଥିଲା। ପୂର୍ବରୁ ମଧ୍ୟ ବୈଶ୍ବିକ ଆର୍ଥିକ ସଙ୍କଟ ଯୋଗୁଁ ଆମାଜନ, ଗୁଗଲ, ମାଇକ୍ରୋସଫ୍ଟ ଭଳି କମ୍ପାନି ମଧ୍ୟ ବଡ଼ ପରିମାଣରେ କର୍ମଚାରୀଙ୍କ ଛଟେଇ କରିଛନ୍ତି।