ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଚଳିତ ବର୍ଷ ନିଯୁକ୍ତି ବନ୍ଦ, ଖର୍ଚ୍ଚ କମାଇବାକୁ ରଣନୀତିରେ ବଡ ପରିବର୍ତ୍ତନ କଲା ମେଟା

Published By : Prameya-News7 Bureau | May 05, 2022 IST

ନୂଆଦିଲ୍ଲୀ ୫।୫: ସୋସିଆଲ ମିଡିଆ ସାଇଟ୍ ଫେସବୁକ୍‌ର ମୂଳ କମ୍ପାନୀ ମେଟା ଖର୍ଚ୍ଚ କମାଇବାକୁ ନିଜ ରଣନୀତିରେ ବଡ ପରିବର୍ତ୍ତନ କରିଛି । କମ୍ପାନୀର ଏକ ଆଭ୍ୟନ୍ତରୀଣ ନୋଟ୍ ଅନୁଯାୟୀ, ମେଟା ନିଯୁକ୍ତି ଟାର୍ଗେଟ୍‌ରେ କାଟଛାଟ୍ କରି ଚଳିତ ବର୍ଷ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଛି ।

ଏକ ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କୁ ଲେଖାଯାଇଥିବା େକ ଆଭ୍ୟନ୍ତରୀଣ ମେମୋରେ ଫେସବୁକ୍ ମୁଖ୍ୟ ଆର୍ଥିକ ଅଧିକାରୀ ଡେଭିଡ ୱେନର କହିଛନ୍ତି ଯେ, ଖର୍ଚ୍ଚ କମାଇବା ସହ କମ୍ପାନୀ ତାର ରଣନୀତିରେ ମଧ୍ୟ ପରିବର୍ତ୍ତନ କରୁଛି । ଋଷ-ୟୁକ୍ରେନ୍ ଯୁଦ୍ଧ, ଡାଟା ଗୋପନୀୟତାରେ ପରିବର୍ତ୍ତନ ଏବଂ ଇଣ୍ଡଷ୍ଟ୍ରିରେ ଚାଲିଥିବା ମନ୍ଥରତା କାରଣରୁ ଆମ ବ୍ୟବସାୟ ଉପରେ ଅଧିକ ପ୍ରଭାବ ପଡିଛି । ଫେସବୁକର ତ୍ରୈମାସିକ ଫଳାଫଳ ମଧ୍ୟ ଆଶାଠାରୁ କମ୍ ରହିଛି । ଖର୍ଚ୍ଚ ହ୍ରାସକୁ ପ୍ରାଥମିକତା ଦେଇ ନୂଆ ନିଯୁକ୍ତି ଉପରେ ବର୍ତ୍ତମାନ ରୋକ୍ ଲଗାଯାଉଛି ଏବଂ ଆଗକୁ ମଧ୍ୟ ଏହାର ଲକ୍ଷ୍ୟକେ କାଟଛାଟ କରାଯିବ ।

ଡେଭିଡ୍ କହିଛନ୍ତି, ‘ଆମେ ୨୦୨୨ ବର୍ଷରେ ପ୍ରବେଶ କରିସାରିଛୁ । ଯେଉଁଠାରେ ଆମେ ଦ୍ରୁତ ଅଭିବୃଦ୍ଧିର ଲକ୍ଷ୍ୟ ରଖୁଛୁ । ତଥାପି ବର୍ତ୍ତମାନର ପରିସ୍ଥିତିକୁ ଦେଖି ପ୍ରଥମ ୬ମାସରେ ଆମକୁ ଆମ ଲକ୍ଷ୍ୟକୁ ଟିକେ କମ୍ କରିବାକୁ ପଡିବ । ଏହା ଆଗାମୀ କିଛି ସମୟ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଭାବ ପକାଇବ ଏବଂ ଏହାଦ୍ବାରା କମ୍ପାନୀର ପ୍ରତ୍ୟେକ ଟିମ୍ ପ୍ରଭାବିତ ହେବ ।’

ଏହା ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ମେଟା ଚଳିତ ବର୍ଷ ଅପ୍ରେଲରେ କୌଣସି ଇଞ୍ଜିନିୟରକୁ ନିଯୁକ୍ତ ଦେବନାହିଁ । ଯେଉଁଥିରେ ଇ୩ ଏବଂ ଇ୪ ସ୍ତରର ଇଞ୍ଜିନିୟରମାନେ ସାମିଲ ହେବେ ।

ଫେସବୁକ୍ ଗତ ସପ୍ତାହରେ ଖର୍ଚ୍ଚ ହ୍ରାସ କରିବାକୁ ଘୋଷଣା କରିଥିଲା । କମ୍ପାନୀ କହିଥିଲା ଯେ, ତାର ମୋଟ୍ ଖର୍ଚ୍ଚ ୯୨ ଅରବ ଡଲାର ପର୍ଯ୍ୟନ୍ତ ସୀମିତ ରଖିବ । ଯାହା ପୂର୍ବରୁ ୯୫ ଅରବ ଡଲାର ରଖିବାର ଯୋଜନା ଥିଲା । କମ୍ପାନୀର ସେୟାର ବର୍ତ୍ତମାନ ୨୧୩ ଡଲାର ମୂଲ୍ୟରେ ଟ୍ରେଡିଂ କରୁଛି ଏବଂ ଏଥିରେ ୨୦୨୨ ମସିହାରେ ୪୦ ପ୍ରତିଶତ ହ୍ରାସ ପାଇଛି ।

କେବଳ ମେଟା ନୁହେଁ ଏହି କ୍ଷେତ୍ରରେ ଅନ୍ୟ କମ୍ପାନୀଗୁଡିକ ମଧ୍ୟ ଚାକିରୀରେ କାଟଛାଟ କାରୁଛନ୍ତି । DoorDashର ସିଇଓ ମଧ୍ୟ କର୍ମଚାରୀ ବଡାଇବା ପ୍ରକ୍ରିୟାକୁ ମନ୍ଥର କରିବାକୁ କହିଥିଲେ । ଗୁଗୁଲ୍ କ୍ଲାଉଡ୍ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ହ୍ରାସ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.