କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ ରେଟିଂ ଦେଲା ମେଟା, ପୁଣି ବଢ଼ିଲା ଛଟେଇ ଆଶଙ୍କା
18/02/2023 at 6:03 PM

ନୂଆଦିଲ୍ଳୀ, ୧୮/୦୨: ନିକଟରେ ମେଟା ଏହାର ହଜାର ହଜାର କର୍ମଚାରୀଙ୍କୁ ସାଧାରଣ ଠାରୁ ମଧ୍ୟ କମ୍ ସ୍ତରର ପ୍ରଦର୍ଶନରେ ଦିଆଯାଉଥିବା ରେଟିଂ ‘ସବ୍ପାର୍ ରେଟ୍ସିଂ’ ଦେଇଛି। କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ କରାଯାଇଥିବା ରିଭ୍ୟୁ ପରେ ଏହି ରେଟିଂ ଦେଇଛି କମ୍ପାନୀ। ତେବେ କମ୍ପାନୀ ଆଗାମୀ ଛଟେଇ ପାଇଁ ଏଭଳି ପ୍ରସ୍ତୁତି କରୁଥିବା ନେଇ କୁହାଯାଉଛି। ସୂଚନାଥାଉ, ଗତ ବର୍ଷ ନଭେମ୍ବରରେ କମ୍ପାନୀ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା।
ଦ ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଘଟଣା ସହ ଜଡ଼ିତ ଥିବା ଲୋକେ କହିଛନ୍ତି ମେଟାର ଏହି ରେଟିଂ ପରେ ଅନେକ କର୍ମଚାରୀ ଅଫିସ୍ ଛାଡ଼ିପାରନ୍ତି। କିନ୍ତୁ ଯଦି ଏମିତି ନହେଉଛି ତେବେ କମ୍ପାନୀ ରିଭ୍ୟୁ ଆଧାରରେ ଆଗାମୀ ସପ୍ତାହ ଗୁଡ଼ିକରେ କର୍ମଚାରୀଙ୍କ ଛଟେଇ କରିପାରେ। ସେହିପରି ୧୦ ପ୍ରତିଶତ କର୍ମଚାରୀଙ୍କୁ କମ୍ପାନୀ ‘ମିଟ୍ସ ମୋଷ୍ଟ’ ରେଟିଂ ଦେଇଛି। ଯାହାକି କମ୍ପାନୀର ଦ୍ବିତୀୟ କମ୍ ପ୍ରଦର୍ଶନ ରେଟିଂ। ଏହି ରେଟିଂ ଖୁବ୍ ବିରଳ।
ତେବେ ଏହି ପ୍ରଦର୍ଶନ ରେଟିଂରୁ ଜଣାପଡ଼ୁଛି ଅନେକ କର୍ମଚାରୀ ନୂଆ ଚାକିରି କରିପାରନ୍ତି। କିମ୍ବା କମ୍ପାନୀ ଆହୁରି ଅଧିକ ଛଟେଇ କରିପାରେ। ଏହାକୁ ନେଇ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଆମେ ସବୁବେଳେ ଉତ୍ତମ ପ୍ରଦର୍ଶନର ଲକ୍ଷ୍ୟ ରଖିଆସିଛୁ। ଏହି ରିଭ୍ୟୁ ପ୍ରୋସେସ୍ ଉତ୍ତମ କାମକୁ ହିଁ ଦର୍ଶାଇଥାଏ।
ଗତ ମାସରେ ଜୁକରବର୍ଗ ନିବେଶକଙ୍କୁ କହିଥିଲେ ଯେ କମ୍ପାନୀ ଭିତ୍ତିଭୂମିରେ ପରିବର୍ତ୍ତନ କରିବା ଉପରେ କାମ କରୁଛି। ଏଥିପାଇଁ କମ୍ପାନୀ ଏହାର ପରିଚାଳନାରୁ କିଛି ସ୍ତର ହଟାଇବାକୁ ଚାହୁଛି ଯାହାଦ୍ବାରା ନିଷ୍ପତ୍ତି ନେବାରେ ଆହୁରି ସହଜ ହେବ। ଏଆଇ ଟୁଲ୍ ବିକଶିତ କରିବା ଦିଗରେ ଆହୁରି ସହାୟକ ହୋଇପାରିବ। ଗତବର୍ଷ ମେଟାର ଜଣେ ଅଧିକାରୀ କହିଥିଲେ ଯେ କମ୍ ପ୍ରଦର୍ଶନ ଥିବା କର୍ମଚାରୀଙ୍କୁ ବେଶି ଦିନ ରଖାଯିବ ନାହିଁ। ଜୁକରବର୍ଗ ମଧ୍ୟ କହିଥିଲେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ କମ୍ପାନୀରେ ନ ରଖାଯାଇପାରେ।