ପୁରୁଷ ହକି ବିଶ୍ଵ କପ୍: ସରିଲା ଲିଗ୍ ପର୍ଯ୍ୟାୟ, ଜାଣନ୍ତୁ କାହା କାହା ମଧ୍ୟରେ ଖେଳାଯିବ କ୍ରସ୍ ଓଭର ଏବଂ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍
20/01/2023 at 10:19 PM

ଭୁବନେଶ୍ଵର: ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଉଥିବା ପୁରୁଷ ହକି ବିଶ୍ଵ କପ୍ ୨୦୨୩ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶୁକ୍ରବାର ସଂପନ୍ନ ହୋଇଛି। ୧୬ଟି ଦଳକୁ ନେଇ ୪ଟି ଗ୍ରୁପରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ ପରେ ପ୍ରତି ଗ୍ରୁପର ଶୀର୍ଷରେ ଥିବା ୪ଟି ଦଳ ସିଧାସଳଖ କ୍ଵାର୍ଟର ଫାଇନାଲ୍କୁ ପ୍ରବେଶ କରିଛନ୍ତି। ସେହିପରି କ୍ଵାର୍ଟର ଫାଇନାଲ୍ରେ ଅନ୍ୟ ୪ଟି ସ୍ଥାନ ପାଇଁ କ୍ରସ୍ଓଭର ମୁକାବିଲା ଖେଳାଯିବ।
ପୁଲ୍ ଏରେ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ, ପୁଲ୍ ବିରୁ ବେଲଜିୟମ, ପୁଲ୍ ସିରୁ ନେଦରଲାଣ୍ଡ ଏବଂ ପୁଲ୍ ଡିରୁ ଇଂଲଣ୍ଡ ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେହିପରି ପୁଲ୍ ସିର ଦ୍ଵିତୀୟ ସ୍ଥାନରେ ଥିବା ମାଲେସିଆ ଏବଂ ପୁଲ୍ ଡିରେ ତୃତୀୟ ସ୍ଥାନରେ ଥିବା ସ୍ପେନ ମଧ୍ୟରେ ପ୍ରଥମ କ୍ରସ୍ ଓଭର ମୁକାବିଲା ଖେଳାଯିବ। ପୁଲ୍ ଡିରେ ଦ୍ଵିତୀୟ ସ୍ଥାନରେ ଥିବା ଭାରତ ଏବଂ ଗ୍ରୁପ ସିରେ ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ଵିତୀୟ କ୍ରସ୍ ଓଭର ଖେଳାଯିବ। ସେହିପରି ପୁଲ୍ ଏର ଦ୍ଵିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ଏବଂ ଗ୍ରୁପ୍ ବିରେ ତୃତୀୟରେ ଥିବା ଦକ୍ଷିଣ କୋରିଆ ମଧ୍ୟରେ ତୃତୀୟ କ୍ରସ୍ ଓଭର ଏବଂ ପୁଲ୍ ବିର ଦ୍ଵିତୀୟରେ ଥିବା ଜର୍ମାନୀ ଏବଂ ପୁଲ୍ ଏର ତୃତୀୟ ସ୍ଥାନରେ ଥିବା ଫ୍ରାନ୍ସ ଚତୁର୍ଥ କ୍ରସ୍ ଓଭର ମ୍ୟାଚ୍ ଖେଳାଯିବ। ଚାରି କ୍ରସ୍ ଓଭର ମ୍ୟାଚ୍ର ବିଜେତା କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିବେ।
କ୍ରସ୍ ଓଭର ମୁକାବିଲା
ଜାନୁଆରୀ ୨୨- ମାଲେସିଆ ବନାମ ସ୍ପେନ, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୪ଟା ୩୦
ଜାନୁଆରୀ ୨୨- ଭାରତ ବନାମ ନ୍ୟୁଜିଲାଣ୍ଡ, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୭ଟା
ଜାନୁଆରୀ ୨୩- ଆର୍ଜେଣ୍ଟିନା ବନାମ ଦକ୍ଷିଣ କୋରିଆ, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୪ଟା ୩୦
ଜାନୁଆରୀ ୨୩- ଜର୍ମାନୀ ବନାମ ଫ୍ରାନ୍ସ, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୭ଟା
କ୍ଵାର୍ଟର ଫାଇନାଲ୍ସ
ଜାନୁଆରୀ ୨୪- ଅଷ୍ଟ୍ରେଲିଆ ବନାମ କ୍ରସ୍ ଓଭର ୧ର ବିଜେତା, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୪ଟା ୩୦
ଜାନୁଆରୀ ୨୪- ବେଲଜିୟମ ବନାମ କ୍ରସ୍ ଓଭର ୨ର ବିଜେତା, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୭ଟା
ଜାନୁଆରୀ ୨୫- ନେଦରଲାଣ୍ଡ୍ସ ବନାମ କ୍ରସ୍ ଓଭର ୩ର ବିଜେତା, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୪ଟା ୩୦
ଜାନୁଆରୀ ୨୫- ଇଂଲଣ୍ଡ ବନାମ କ୍ରସ୍ ଓଭର ୪ର ବିଜେତା, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ଵର, ସନ୍ଧ୍ୟା- ୭ଟା