କାଶ୍ମୀରରେ ବିଜେପିର ଚିନ୍ତା ବଢେଇଲେ ରାହୁଲ ଗାନ୍ଧି, ଉମର ଅବଦୁଲ୍ଲାଙ୍କ ପରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ମହବୁବା ମୁଫ୍ତି
28/01/2023 at 2:17 PM

ଶ୍ରୀନଗର ୨୮।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ଜମ୍ମୁ-କାଶ୍ମୀରରେ ସମାପ୍ତ ହେବ। ଶନିବାର ଯାତ୍ରା ଅବନ୍ତିପୋରାରୁ ପୁଣି ଆରମ୍ଭ ହୋଇଥିବା ବେଳେ ଏଥିରେ ପିଡିପି ମୁଖ୍ୟ ମହବୁବା ମୁଫ୍ତି ରାହୁଲ ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାଙ୍କ ସହ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ବୁଧବାର ଯାତ୍ରାରେ ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଯୋଗ ଦେଇଥିଲେ।

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ସମାପ୍ତି ପରଠାରୁ ଏଠାରେ ବିଧାନସଭା ନିର୍ବାଚନ ହୋଇ ନାହିଁ। ତେବେ ଏହା ପୂର୍ବରୁ ରାହୁଲଙ୍କ ସହିତ ନ୍ୟାସନାଲ କନଫରେନ୍ସ ଓ ପିଡିପି ନେତାମାନଙ୍କ ଯୁଗଳବନ୍ଦୀ ରାଜ୍ୟରେ ବିଜେପିର ଚିନ୍ତା ବଢେଇପାରେ ବୋଲି ଅନୁମାନ କରାଯାଉଛି। ରାହୁଲ ଗାନ୍ଧି କାଶ୍ମୀର ଉପତ୍ୟାକାକୁ ପ୍ରବେଶ ପରଠାରୁ ଶୁକ୍ରବାର ସୁରକ୍ଷାଗତ କାରଣ ଲାଗି ପଦଯାତ୍ରା ରୋକିବାକୁ ପଡିଥିଲା। ତେବେ ଶନିବାର ଯାତ୍ରା ପୁଣି ଆରମ୍ଭ ହୋଇଛି।

ଶୁକ୍ରବାର ଜମ୍ମୁର ବନିହାଲରୁ ଯାତ୍ରା ଆରମ୍ଭ କରିଥିବା ରାହୁଲ ଗାନ୍ଧି ବୁଲେଟପ୍ରୁଫ ଗାଡିରେ ଜବାହାର ସୁଡ଼ଙ୍ଗକୁ ପାର କରି ଉପତ୍ୟାକାରେ ପ୍ରବେଶ କରିଥିଲେ। ସେଠାରେ ତାଙ୍କର ଜୋରଦାର ସ୍ୱାଗତ ହୋଇଥିବା ବେଳେ ସୁରକ୍ଷା ବଳଙ୍କୁ ହଜାର ହଜାର ପାର୍ଟି ସମର୍ଥକଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭାଳ ହୋଇପଡିଥିଲା। ଏଥିଯୋଗୁ ଯାତ୍ରାକୁ ଦିନକ ଲାଗି ରୋକି ଦିଆଯାଇଥିଲା। ଶନିବାର କାଶ୍ମୀରରେ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।