ସଂଧ୍ୟା ୫ଟା ସୁଦ୍ଧା ନାଗାଲାଣ୍ଡରେ ୮୩% ଏବଂ ମେଘାଳୟରେ ୭୪% ଭୋଟିଂ, ଜାଣନ୍ତୁ ଉପନିର୍ବାଚନ ସ୍ଥିତି

Published By : Prameya-News7 Bureau | February 27, 2023 IST

ନୂଆଦିଲ୍ଲୀ: ପୂର୍ବୋତ୍ତରର ଦୁଇ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ସୋମବାର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଛି । ଦୁଇ ରାଜ୍ୟର ବିଧାନସଭାରେ ୬୦-୬୦ ଆସନ ରହିଛି, କିନ୍ତୁ ଏଥର ମେଘାଳୟ ଏବଂ ନାଗାଲାଣ୍ଡରେ ୫୯-୫୯ ଆସନରେ ମତଦାନ ହୋଇଛି । ଦୁଇ ରାଜ୍ୟରେ ୪୦ ମହିଳା ପ୍ରାର୍ଥୀଙ୍କ ସହ ମୋଟ ୫୫୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଅନ୍ୟପଟେ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଛି ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସଂଧ୍ୟା ୫ଟା ସୁଦ୍ଧା ମେଘାଳୟରେ ୭୪.୩୧ ପ୍ରତିଶତ ଏବଂ ନାଗାଲାଣ୍ଡରେ ୮୩.୩୬ ପ୍ରତିଶତ ଭୋଟିଂ ହୋଇଛି ।

ଉଭୟ ରାଜ୍ୟରେ ନିର୍ବାଚନ ସମୟରେ କିଛି ସ୍ଥାନରେ ଅପ୍ରତୀକର ପରିସ୍ଥିତି ଦେଖିବାକୁ ମିଳିଥିଲା । ନାଗାଲାଣ୍ଡର ଭଣ୍ଡାରୀ ପୋଲିଂ ଷ୍ଟେସନରେ ଫାୟରିଂ ହୋଇଛି, ଏଥିରେ ଏନପିପିର ଜଣେ କର୍ମୀ ଆହତ ହୋଇଛନ୍ତି । ସେହିପରି ଅପରାହ୍ଣରେ ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାର ଓମାବସ୍ତି ଅଞ୍ଚଳରେ ଏକ ପୋଲିଂ ବୁଥରେ ଭୋଟିଂ ସମୟରେ ପଥର ମାଡର ଖବର ରହିଛି । ଫଳରେ ଭୋଟିଂକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଏନଡିପିପିର ପ୍ରାର୍ଥୀ ତଥା ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ କୋହିମାରେ ଭୋଟ ଦେଇଛନ୍ତି ।

ଅନ୍ୟପଟେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ତୁରାରେ ମତଦାନ କରିଛନ୍ତି । ଏଠାରେ ସେ ସାଧାରଣ ଲୋକଙ୍କ ସହ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି ।

ସେହିପରି ତିନି ରାଜ୍ୟରେ ଉପନିର୍ବାଚନରେ ତାମିଲନାଡୁର ଝରୋଡ ଆସନରେ ଅପରାହ୍ଣ ୩ଟା ସୁଦ୍ଧା ୫୯.୨୨ ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗର ସାଗରଡିଘୀ ଆସନରେ ୬୩.୪୩ ପ୍ରତିଶତ ଏବଂ ଝାଡଖଣ୍ଡର ରାମଗଡ ଆସନରେ ୬୨.୨୮ ପ୍ରତିଶତ ଭୋଟିଂ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.