ମେଘାଳୟ ବିଜେପି ନେତାଙ୍କ ଫାର୍ମ ହାଉସରେ ଚାଲିଥିଲା ଅବୈଧ କାରବାର, ୭୩ ଗିରଫ : ପୋଲିସ କହିଲା-'ଚାଲିଥିଲା ସେଇଠି ଦେହ ବ୍ୟବସାୟ'

Published By : Prameya-News7 Bureau | July 26, 2022 IST

ନୂଆଦିଲ୍ଲୀ ୨୬/୦୭: ବିଜେପି ନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ମେଘାଳୟର ତୁରାରେ ବିଜେପି ରାଜ୍ୟ ଉପସଭାପତି ବର୍ଣ୍ଣାର୍ଡ ଏନ ମାରକଙ୍କ ଫାର୍ମହାଉସରେ ବେଶ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କ ଫାର୍ମହାଉସରୁ ୬ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ୭୩ ଜଣଙ୍କୁ ଗିରଫ କରିଛି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।  

ଓ୍ୱେଷ୍ଟ ଗାରୋ ହିଲ୍ସ ଜିଲ୍ଲା ପୋଲିସ ଏସପି ବିବେକାନନ୍ଦ ସିଂ କହିଛନ୍ତି ଯେ, ଏକ ଗୁଇନ୍ଦା ସୂଚନା ଆଧାରରେ ବିଦ୍ରୋହୀରୁ ନେତା ପାଲଟିଥିଲା ମାରକଙ୍କ ମାଲିକାନାରେ ଥିବା ଫାର୍ମ ହାଉସରେ ଚଢଉ କରାଯାଇଥିଲା । ଏଠାରୁ ୬ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଏକ ପରିତ୍ୟକ୍ତ ଘରେ ବନ୍ଦ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପ୍ରଦାନ କରାଯାଇଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଢଉ ବେଳେ ଫାର୍ମହାଉସରୁ ୪୦୦ ମଦ ବୋତଲ ଓ ୫୦୦ରୁ ଅଧିକ କଣ୍ଡୋମ ଜବତ ହୋଇଥିଲା । ୭୩ଜଣଙ୍କୁ ଅନୈତିକ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି । ଫାର୍ମହାଉସରେ ୩୦ଟି ଛୋଟବଡ କୋଠରୀ ରହିଥିଲା । ପୂର୍ବରୁ ଏଠାରେ ଜଣେ ଯୁବତୀଙ୍କୁ ଯୌନଶୋଷଣ କରାଯାଇଥିଲା । ଗତ ଫେବ୍ରୁଆରୀ ମାସରେ ଏନେଇ ଏଫଆଇଆର ରୁଜୁ ମଧ୍ୟ ହୋଇଥିଲା ।

ତେବେ ଗାରୋ ଟ୍ରାଇବାଲ ଅଟୋନମସ ଡିଷ୍ଟ୍ରିକ୍ଟ କାଉନସିଲର ନିର୍ବାଚିତ ସଦସ୍ୟ ତଥା ବିଜେପି ନେତା ମାରକ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାସହ ଚଢଉ ପଛରେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ହାତ ଥିବା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହତାଶ ଅଛନ୍ତି । ସେ ଦକ୍ଷିଣ ତୁରା ଆସନରୁ ବିଜେପିଠୁ ହାରିବା ଭୟରେ ରହିଛନ୍ତି । ତେଣୁ ରାଜନୈତିକ ପ୍ରତିଶୋଧ ପରାୟଣରେ ଏପରି କରାଯାଇଛି । ତାଙ୍କ ଛବି ମଳୀନ ପାଇଁ ଷଡଯନ୍ତ୍ର ହୋଇଛି ।

ସୂଚନାଯୋଗ୍ୟ, ଘଟଣା ପାଇଁ ମାରକଙ୍କୁ ଏବେ ଗିରଫ କରାଯାଇନାହିଁ । ମେଘାଳୟରେ ବିଜେପି ଏବେ ସରକାରରେ ଭାଗିଦାରୀ ଅଛି । ଯାହାର ନେତୃତ୍ୱ ସାଙ୍ଗମାଙ୍କ ଦଳ ଏନପିପି ନେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.