ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ଦିନ ହେବନି ଆମିଷ ବିକ୍ରି: ସମନ୍ୱୟ ବୈଠକରେ ନିଷ୍ପତ୍ତି
25/03/2023 at 8:05 PM

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଗୋଟିଏ ଦିନରେ ସାରିବାକୁ ବ୍ୟବସ୍ଥା ହୋଇଛି। ରଥଯାତ୍ରା ବେଳେ ମନ୍ଦିର ଚରିପର୍ଶ୍ୱରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଆମିଷ ବିକ୍ରୀ ହେବ ନାହିଁ ବୋଲି ଲିଙ୍ଗରାଜ ମନ୍ଦିରର ସମନ୍ଵୟ ବୈଠକରେ ନିଷ୍ପତି ନିଆଯାଇଛି।
ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନିମନ୍ତେ କମିଶନରେଟ୍ ପୋଲିସ ତରଫରୁ ଆଇନ ଶୃଙ୍ଖଳା ପାଇଁ ସମନ୍ଵୟ ବୈଠକ ଅନୁଷ୍ଠତ ହୋଇଛି। କେଦାରଗୌରୀ ମନ୍ଦିର ନିକଟ ଗୁଆଝର ନିକଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏଥିରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଲିଙ୍ଗରାଜ ମନ୍ଦିର ପ୍ରଶାସନ, ମେୟର ସୁଲୋଚନା ଦାସ , ଟ୍ରାଫିକ ଡିସିପି ସମେତ ଅନ୍ୟାନ୍ୟ ବୈଠକରେ ଉପସ୍ଥିତ ଥିଲେ।
ଏଥିରେ ଲିଙ୍ଗରାଜ ମନ୍ଦିରର ତିନି ସେବାୟତ ନିଯୋଗ ବିଭିନ୍ନ ମତାମତ ଦେଇଛନ୍ତି। ରୁକୁଣା ରଥଯାତ୍ରା ବେଳେ ସଠିକ୍ ସମୟର ନୀତିକାନ୍ତି ସେବା କିଭଳି ସୁଚାରୁ ରୂପେ ହେବ , ସେବାୟତ ଓ ପୋଲିସଙ୍କ ମଧ୍ୟରେ ସମନ୍ଵୟ ରହିବ, ରଥ ଗଡିବା ସମୟରେ ଭକ୍ତଙ୍କ ପ୍ରବଳ ସମାଗମ ହେବାର ଆଶଙ୍କା ଥିବାରୁ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଫୋକୋସ ରହିବ। ଏହାସହିତ ରଥଯାତ୍ରା ବେଳେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।