ଏମଏସପି ନିୟମକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ବୈଠକ ବିଫଳ, ବିଶାଳ ଆନ୍ଦୋଳନ କରିବ କୃଷକ ମୋର୍ଚ୍ଚା !
20/03/2023 at 6:20 PM

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ନେଇ ପୁଣି ଥରେ କୃଷକ ସଂଗଠନ ରାଜଧାନୀ ଦିଲ୍ଲୀରେ ମେଳି ଦେଖିବାକୁ ମିଳିଛି। ସ୍ଥିତି ବିଗିଡିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ହେଁ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ବିନା ବୈଠକ ଶେଷ ହୋଇଛି। ଏମଏସପିକୁ ନେଇ ହଜାର ହଜାର ସଂଖ୍ୟାରେ କୃଷକ ସୋମବାର ରାମଲୀଲା ମଇଦାନରେ ଆୟୋଜିତ କିଷାନ ମହାପଞ୍ଚାୟତ ଏକତ୍ରିତ ହୋଇଥିଲେ।
ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୫ ଜଣିଆ ପ୍ରତିନିଧି ଦଳ ଆଜି ଅପରାହ୍ନରେ କୃଷି ଭବନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଥିଲେ। ଏହି ସମୟରେ ଦାବି ପତ୍ର ମନ୍ତ୍ରୀଙ୍କୁ ଦିଆଯାଇଥିବା କୃଷକ ନେତା ଦର୍ଶନ ପାଲ୍ କହିଛନ୍ତି। ବୈଠକ ପରେ କୃଷକ ପ୍ରତିନିଧି ଦାବି କରିଛନ୍ତି ଯେ, କୃଷି ମନ୍ତ୍ରୀ ଚାଷୀଙ୍କୁ କହିଛନ୍ତି ଯେ, ‘ଆମେ ସରକାର ଚଳାଉଛୁ, ଆପଣମାନେ ଆନ୍ଦୋଳନ ଚଲାନ୍ତୁ’।
କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ, କୃଷକଙ୍କ ସହ ବୈଠକ ସମୟରେ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ, ବିନା ଆନ୍ଦୋଳନରେ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଦିଆଯିବ ନାହିଁ।
'Kisan Mahapanchayat' underway at Ramlila Maidan in Delhi
— ANI (@ANI) March 20, 2023
Farmers have gathered here to demand a legal guarantee on MSP and fulfilment of their other demands. pic.twitter.com/CMkvAj1fKd
ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ୟାନରରେ ବିଭିନ୍ନ କୃଷକ ସଂଗଠନ ଏବେ “କିଷାନ ଆନ୍ଦୋଳନ ୨.୦” ପାଇଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏପ୍ରିଲ ୩୦ରେ ପରବର୍ତ୍ତୀ ବୈଠକ ପାଇଁ ତାରିଖ ସ୍ଥିର ହୋଇଛି। ସମସ୍ତ କୃଷକ ସଂଗଠନକୁ ନିଜ ନିଜ ରାଜ୍ୟରେ ରାଲି କରିବା ଏବଂ ପଞ୍ଚାୟତ ବୈଠକ ଆୟୋଜନ କରିବାକୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ସହ ଆଲୋଚନା ବେଳେ ମୋଟ୍ ଛଅଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିରେ ଏମଏସି ଉପରେ ଆଇନଗତ ଗ୍ୟାରେଣ୍ଟି, ଆନ୍ଦୋଳନ ସମୟରେ ମୃତ କୃଷକଙ୍କ ପରିବାରକୁ କ୍ଷତିପୂରଣ, କୃଷକଙ୍କ ବିରୋଧରେ ରୁଜୁ ମୋକଦ୍ଦମା ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରିରେ କୃଷକଙ୍କ ହତ୍ୟାରେ ସଂପୃକ୍ତ ଅଜୟ ମିଶ୍ର ଟେନିଙ୍କୁ ହଟାଇବା ଏବଂ ବିଜୁଳି ସଂଶୋଧନ ବିଧେୟକ ସାମିଲ୍।
ନିକଟରେ କୃଷକ ମୋର୍ଚ୍ଚାର ନେତା ଦର୍ଶନ ପାଲ୍ କହିଛନ୍ତି, କେନ୍ଦ୍ର ସରକାର ଦେଇଥିବା ଲିଖିତ ପ୍ରତିଶ୍ରୁତି ପୂରଣ କରିବା ଉଚିତ୍ ଏବଂ କୃଷକଙ୍କ ସାମ୍ନାରେ ଲଗାତାର ବଢୁଥିବା ସଙ୍କଟ କମ କରିବା ଦିଗରେ ବିହିତ ପଦକ୍ଷେ ଉଠାଇବା ଉଚିତ୍।