ଜିରୋ ନାଇଟ୍ ସେଲିବ୍ରେସନ ଓ ଶୃଙ୍ଖଳିତ ନୂଆବର୍ଷ ପାଳନ ପାଇଁ ପୁରୀ ପୋଲିସର ବୈଠକ
29/12/2022 at 10:48 PM

ପୁରୀ ୨୯/୧୨: ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷରେ ପର୍ଯ୍ୟଟକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ହୋଟେଲିୟରମାନଙ୍କ ସହ ବୈଠକ ହୋଇଛି। ପୁରୀ ଟାଉନ ଥାନାରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ନୂଆବର୍ଷ ପାଳନ ପାଇଁ ପୁରୀ ଆସି ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ସମ୍ପୁର୍ଣ୍ଣ ତଥ୍ୟ, ସମସ୍ତ ସିସିଟିଭି କ୍ୟାମେରା କାର୍ଯ୍ୟକାରୀ କରିବା, ସରକାରଙ୍କ ନିୟମ ଅନୁସାରେ ଜିରୋ ନାଇଟ୍ ସେଲିବ୍ରେସନ କରିବା ଉପରେ ଆଲୋଚନା ହୋଇଛି।
ପର୍ଯ୍ୟଟକ ଓ ହୋଟେଲିୟର ମାନଙ୍କ କୌଣସି ଅସୁବିଧା ହେଲେ ପୋଲିସର ସହାୟତା ନେବା ପାଇଁ ୧୧୨ କୁ କିମ୍ବା ୬୩୭୦୯୬୭୧୦୦ ନମ୍ୱରରେ ୨୪ ଘଣ୍ଟିଆ ଫୋନ କରିପାରିବେ ବୋଲି ଅତିରିକ୍ତ ଏସପି କହିଛନ୍ତି। ଗତ ୨ବର୍ଷ ଧରି କୋଭିଡ କଟକଣା ପାଇଁ ହୋଟେଲଗୁଡ଼ିକରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ଥିଲା। ତେବେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ସ୍ବାଗତ କରିବାକୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ତେଣୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ସୁବିଧା ଓ ଗମନାଗମନକୁ ଗୁରୁତ୍ବ ଦେବାକୁ ପ୍ରଶାସନକୁ ହୋଟେଲିୟର ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ନିୟମମାନି ହୋଟେଲ ଗୁଡ଼ିକରେ ଜିରୋ ନାଇଟ୍ ସେଲିବ୍ରେସନ କରାଯିବ ବୋଲି ହୋଟେଲିୟର ମାନେ କହିଛନ୍ତି।