ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ରୋମାଞ୍ଚ ଚରମରେ ପହଞ୍ଚିଛି। ତେବେ ସଭିଙ୍କ ନଜର ଜୁନରେ ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ୨୦୨୪ ଉପରେ ରହିଛି। ଆଇପିଏଲ୍ ୨୦୨୪ରେ ଏ ପର୍ଯ୍ୟନ୍ତ ୩୧ଟି ମ୍ୟାଚ୍ ଖେଳ ସରିଛି। ତଥାପି ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ରୂପ ରେଖ ପ୍ରସ୍ତୁତ ହୋଇ ପାରିନାହିଁ। ୧୫ ଜଣିଆ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ପାରି ନାହିଁ। କେତେବେଳେ ଓପନର ତ କେତେବେଳେ ମଧ୍ୟକ୍ରମ ଏବଂ ଆଉ କେତେବେଳେ ବୋଲିଂ ଚିନ୍ତାର କାରଣ ପାଲଟିଛି। ଏହା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା କୁହାଯାଇଛି।
Also read: ମୁମ୍ବାଇର ପରାଜୟ ପରେ ଏକାକୀ ରହିଗଲେ ରୋହିତ ଶର୍ମା, ଭାବବିହ୍ଵଳ କରି ଦେବ UNSEEN ଭିଡିଓ
ଏହି ବୈଠକରେ ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଭାରତୀୟ ଦଳର ଖେଳାଳି ଚୟନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏ ସଂପର୍କରେ ଦୈନିକ ଜାଗରଣରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି ଓପନିଂ କରିବା ଉପରେ ବିଚାର କରାଯାଇଛି। ଏହା ବ୍ୟତୀତ ଶୁଭମନ ଗିଲ୍ ଓ ଯଶସ୍ଵୀ ଜୟସ୍ଵାଲଙ୍କ ମଧ୍ୟରୁ ଜଣକଙ୍କୁ ବ୍ୟାକଅପ୍ ଓପନର ଭାବେ ସାମିଲ୍ କରାଯିବ। ଆଇପିଏଲ୍ ୨୦୨୪ରେ ଏ ପର୍ଯ୍ୟନ୍ତ ଗିଲ୍ ଜୟସ୍ଵାଲଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଯଶସ୍ଵୀଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ରେ ପ୍ରଦର୍ଶନ ଗିଲଙ୍କ ତୁଳନାରେ ଉନ୍ନତ ରହିଛି।
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବୈଠକରେ ଆଲୋଚନା ହୋଇଛି। ଉପ ଅଧିନାୟକଙ୍କୁ ସେମିତିରେ ଦଳରୁ ବାଦ୍ ଦିଆଯାଇପାରିବ ନାହିଁ। କିନ୍ତୁ ତାଙ୍କ ବୋଲିଂ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଆଇପିଏଲ୍ର ୬ଟି ମ୍ୟାଚ୍ରୁ ୪ଟି ମ୍ୟାଚ୍ରେ ସେ ୧୨ ହାରରେ ରନ ଦେଇ ମାତ୍ର ୩ ଓ୍ଵିକେଟ୍ ନେଇଛନ୍ତି। ଏପରିକି ତାଙ୍କ ବ୍ୟାଟିଂ ମଧ୍ୟ ନିରୁତ୍ସାହଜନକ ରହିଛି। ଏମିତି ସ୍ଥିତିରେ ଶିବମ ଦୁବେଙ୍କୁ ଟି-୨୦ ବିଶ୍ଵକପ୍ ପାଇଁ ଚୟନ କରାଯିବା ଉପରେ ବିଚାର କରାଯାଉଛି କିନ୍ତୁ ତାଙ୍କର ସମସ୍ୟା ଏହା ଯେ, ସିଏସକେ ତାଙ୍କୁ ଏ ପର୍ଯ୍ୟନ୍ତ ବୋଲିଂ କରିବାକୁ ଦେଇନାହିଁ। ବ୍ୟାଟିଂରେ ମଝି ଓଭର ଗୁଡ଼ିକରେ ସେ କେବଳ ଦ୍ରୁତ ଗତିରେ ରନ ସଂଗ୍ରହ କରୁ ନାହାନ୍ତି ବରଂ ସ୍ପିନରଙ୍କୁ ଖୁବ୍ ପ୍ରହାର କରୁଛନ୍ତି।
ପରାଗଙ୍କୁ ମିଳିପାରେ ସୁଯୋଗ
ରାଜସ୍ଥାନ ରୟାଲ୍ସର ବ୍ୟାଟର ରିୟାନ ପରାଗଙ୍କୁ ମଧ୍ୟ ଟି-୨୦ ବିଶ୍ଵକପ୍ରେ ୧୫ ଜଣିଆ ଦଳରେ ସ୍ଥାନ ମିଳିପାରେ। ସେ ଆଇପିଏଲ୍ ୨୦୨୪ର ନମ୍ବର ୪ରେ ବ୍ୟାଟିଂ କରି ଖୁବ୍ ରନ କରିଛନ୍ତି। ୭ଟି ଇନିଂସରେ ୩୧୮ ରନ କରି ସାରିଛନ୍ତି ଏହି ବ୍ୟାଟର। ତାଙ୍କୁ ମଧ୍ୟକ୍ରମରେ ବ୍ୟାକଅପ୍ ଭାବେ ଦଳରେ ଚୟନ କରାଯାଇପାରେ। ଏଥିପାଇଁ ତାଙ୍କୁ ଆଇପିଏଲ୍ରେ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରେ ଏହି ଫର୍ମ ବଜାୟ ରଖିବାକୁ ପଡ଼ିବ।
ସୁଯୋଗ ହରାଇଲେ ମୟଙ୍କ ଯାଦବ
ଲକ୍ଷ୍ନୌ ସୁପର ଜିଆଣ୍ଟ ପାଇଁ ଆଇପିଏଲ୍ରେ ପଦାର୍ପଣ କରିଥିବା ବୋଲର ମୟଙ୍କ ଯାଦବ ଲଗାତାର ଦୁଇଟି ମ୍ୟାଚ୍ରେ ପ୍ଲେୟାର ଅଫ ଦ ମ୍ୟାଚ୍ ଜିତି ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ନିଜର ଦାବିଦାର ଉପସ୍ଥାପନ କରିଥିଲେ। ହେଲେ ତୃତୀୟ ମ୍ୟାଚ୍ରେ ଆହତ ହୋଇ ସେ ଟି-୨୦ ବିଶ୍ଵକପ୍ ପାଇଁ ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜ ଭିସା ପାଇବାର ସୁଯୋଗ ହରାଇ ଦେଇଛନ୍ତି।