ଦେଶର ପ୍ରଥମ ମୁସ୍‌ଲିମ ମହିଳା ଯୁଦ୍ଧ ବିମାନ ପାଇଲଟ ସାନିଆ ମିର୍ଜା; ସାକାର କଲେ ପିଲାଦିନର ସ୍ୱପ୍ନ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ: ଲୋକପ୍ରିୟ ହିନ୍ଦୀ ସିନେମା ‘ଓମ୍ ଶାନ୍ତି ଓମ୍‌’ରେ ଏକ ସଂଳାପ ଶୁଣିଥିବେ ନିଶ୍ଚୟ। “ଅଗର କିସି ଚିଜ୍‌ କୋ ଦିଲ୍‌ ସେ ଚାହୋ ତୋ ପୂରି କାଏନାତ୍ ଉସେ ତୁମସେ ମିଲାନେ କି କୋଶିସ୍ ମେ ଲଗ୍‌ଜାତି ହେ।” ଓଡ଼ିଆରେ କହିବାକୁ ଗଲେ ଏକାଗ୍ରତାର ସହ ହୋଇଥିବା ଉଦ୍ୟମ କେବେ ବିଫଳ ହୁଏନା।  

ଉତ୍ତର ପ୍ରଦେଶ ମିର୍ଜାପୁରର ଝିଅ ସାନିଆ ମିର୍ଜା ଏହି ଉକ୍ତିକୁ ଯଥାର୍ଥ ପ୍ରମାଣିତ କରିଛନ୍ତି। ଟିଭି ମେକାନିକଙ୍କ ଝିଅ ସାନିଆଙ୍କର ପିଲାବେଳୁ ଗୋଟେ ସ୍ୱପ୍ନ ଥିଲା। ଆକାଶର ଗର୍ଜୁଥିବା ସେନା ବିମାନରେ ସେ ଦିନେ ପାଇଲଟ୍ ହେବେ। ଆକାଶର ଛାତି ଛିରି ସେ ବି ବିମାନ ଉଡ଼ାଇବେ। ଆଜି ତାହା ସତ ହେବାକୁ ଯାଉଛି। ସାନିଆ ମିର୍ଜା ଦେଶର ପ୍ରଥମ ମୁସ୍‌ଲିମ ଝିଅ ଭାବେ ସେ ଯୁଦ୍ଧ ବିମାନର ପାଇଲଟ୍ ହେବାକୁ ଯାଉଛନ୍ତି। ଏଥିପାଇଁ ହୋଇଥିବା ନ୍ୟାସ୍‌ନାଲ୍‌ ଡିଫେଏନ୍ସ ଆକାଡେମୀ (ଏନ୍‌ଡିଏ) ପରୀକ୍ଷାରେ ସାନିଆ ୧୪୯ ରାଙ୍କ ହାସଲ୍ କରିଛନ୍ତି।    

ଦେହାତ କୋତୱଲୀ ଥାନା ଅଞ୍ଚଳରେ ଜସୋଭରରେ ରହୁଥିବା ଯୁକ୍ତ ଦୁଇରେ ଟପ୍ପର ହେବା ପରେ ଏନ୍‌ଡିଏ ପରୀକ୍ଷାରେ ବି ସଫଳତା ପାଇଛନ୍ତି। ସାନିଆ ଗାଁର ପଣ୍ଡିତ ଚିନ୍ତାମଣି ଦୁବେ ଇଣ୍ଟର କଲେଜ୍‌ରେ ୧୦ ପାସ୍ କରିଥିବା ବେଳେ ମିର୍ଜାପୁରର ଗୁରୁ ନାନାକ ଗାର୍ଲ୍ସ ଇଣ୍ଟର କଲେଜରୁ ଯୁକ୍ତ ୨ ଟପ୍ପର ହୋଇଥିଲେ। ଏପ୍ରିଲ ୧୦ ତାରିଖରେ ସେ ଏନ୍‌ଡିଏ ପରୀକ୍ଷା ୨୦୨୨ ଦେଇଥିଲେ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କୁ ଡିସେମ୍ବର ୨୭ ତାରିଖରେ ପୁଣେର ଏନ୍‌ଡିଏର ଖଡକୱାସ୍‌ଲାରେ ନିଯୁକ୍ତି ଦିଆଯିବ।  

ସାନିଆ ମିର୍ଜା ଯୁଦ୍ଧ ବିମାନରେ ପାଇଲଟ ଭାବେ ନିଯୁକ୍ତି ପାଇବାର ଦ୍ୱିତୀୟ ମହିଳା ପାଇଲଟ୍। ତାଙ୍କ ପୂର୍ବରୁ ଅବନୀ ଚତୁର୍ବେଦୀ ମହିଳା ପାଇଲଟ୍ ଭାବେ ନିଯୁକ୍ତି ପାଇଥିଲେ। ଅବନୀଙ୍କ ଠାରୁ ପ୍ରେରଣା ପାଇଁ ସାନିଆ ତାଙ୍କ ପରି ହେବାକୁ ସ୍ୱପ୍ନ ଦେଖିଥିଲେ। ଆଉ ଆଜି ତାଙ୍କ ସ୍ୱପ୍ନ ସାକାର ହୋଇଛି।

ସୂଚନା ଥାଉକି ଏନ୍‌ଡିଏ ପରୀକ୍ଷା ୨୦୨୨ରେ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୪୦୦ ଆସନ ପାଇଁ ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୧୯ ଆସନ ମହିଳାଙ୍କ ପାଇଁ ଥିବା ବେଳେ ସେଥିମଧ୍ୟରୁ ୨ଟି ସିଟି ଫାଇଠର ପାଇଲଟ ପାଇଁ ସଂରକ୍ଷିତ ଥିଲା। ଆଉ ଏହି ଦୁଇ ସିଟ୍‌ ମଧ୍ୟରୁ ସାନିଆଙ୍କୁ ଗୋଟିଏ ଆସନ ମିଳିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.