କୋରାପୁଟ ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଲେ ମିନାକ୍ଷୀ, ଦୁର୍ଗାଙ୍କୁ ଦାୟିତ୍ଵ, ବଢିବ କଂଗ୍ରେସର ଦକ୍ଷିଣ ଓଡ଼ିଶା କଳି !
9/06/2023 at 5:29 PM

ଭୁବନେଶ୍ଵର: ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ସାଂଗଠନିକ ସ୍ଥିତିକୁ ମଜବୁତ କରିବାକୁ ଉଦ୍ୟମ ଚଳାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ କରିଛି ଏଆଇସିସି । ଏଥିସହ ୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଆଉ ସବୁଠୁ ଚର୍ଚ୍ଚାରେ ଥିବା କୋରାପୁଟ୍ ଜିଲ୍ଲା ସଭାପତି ପଦକୁ ନେଇ ଏଆଇସିସି ବଡ଼ ନିଷ୍ପତ୍ତି ନେଇଛି। ଜିଲ୍ଲା ସଭାପତିରୁ ମିନାକ୍ଷୀ ବାହିନୀପତି ବାଦ୍ ପଡ଼ିଛନ୍ତି। ମିନାକ୍ଷୀଙ୍କ ସ୍ଥାନରେ ଦୁର୍ଗା ସାହୁଙ୍କୁ କୋରାପୁଟ୍ ସଭାପତି ନିଯୁକ୍ତ କରାଯାଇଛି। ଜିଲ୍ଲା ସଭାପତି ପଦକୁ ନେଇ ୨ ଗୋଷ୍ଠୀ ତାରା ବାହିନୀପତି ଗୋଷ୍ଠୀ ଏବଂ ଉଲାକା ଗୋଷ୍ଠୀ ମଧ୍ୟରେ କଳି ଲାଗି ରହିଥିଲା। ସମୟକ୍ରମେ ଏହା ତୀବ୍ର ରୂପ ନେଇଥିଲା।
କିଛି ଦିନ ପୂର୍ବରୁ କଂଗ୍ରେସ ଭବନରେ ପହଞ୍ଚିଥିଲା ଦକ୍ଷିଣ ଓଡିଶା କଳି । ଜିଲ୍ଲା କଂଗ୍ରେସ ସଭାପତି ପଦକୁ ନେଇ ତାରା ବାହିନୀପତି ଏବଂ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଥିଲା। ଶତାଧିକ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କୁ ମେ ୨୮ତାରିଖରେ ଭେଟିଥିଲେ ତାରା ପ୍ରସାଦ ବାହୀନିପତି। ମିନାକ୍ଷୀ ବାହିନୀପତିଙ୍କୁ ପୁନର୍ବାର କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ଦାବି କରିଥିଲେ ତାରାଙ୍କ ସମର୍ଥକ। ମିନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରୁ ପରିବର୍ତ୍ତନ କରାଗଲେ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ।

ଏବେ ଦେଖିବା ବାକି ରହିଲା ଯେ, ତାରା ବାହିନୀପତିଙ୍କ ଗୋଷ୍ଠୀ ସମୂହ ଇସ୍ତଫା ଦେଉଛନ୍ତି କି ନାହିଁ। ତାଙ୍କର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସଭିଙ୍କ ନଜର ରହିବ। ଉଲ୍ଲେଖନୀୟ ତାରା କୋରାପୁଟର ଆସନରୁ ୨୦୦୦ ଏବଂ ୨୦୦୪ ନିର୍ବାଚନରେ ବିଜୟୀ ହୋଇଥିଲେ। ଏହା ପରେ ଜୟପୁର ଆସନରୁ ୨୦୧୪ ଏବଂ ୨୦୧୯ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଅନ୍ୟପଟେ ମୀନାକ୍ଷୀଙ୍କୁ ହଟାଇ ନିଜ ଗୋଷ୍ଠୀର ଜଣଙ୍କୁ ଜିଲ୍ଲା ସଭାପତି କରିବାକୁ ସାଂସଦ ସପ୍ତଗିରି ଉଲ୍ଲାକା ଚାହୁଁଥିଲେ। ଯାହାକୁ ତାରା ଏବଂ ତାଙ୍କ ସମର୍ଥକ ବିରୋଧ କରୁଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା। ଏବେ ଏଆଇସିସିର ଏହି ନିଷ୍ପତ୍ତି ତାରା ଗୋଷ୍ଠୀଙ୍କୁ ଆହୁରି ଅସନ୍ତୁଷ୍ଟ କରିପାରେ। କଂଗ୍ରେସର ଦକ୍ଷିଣ ଓଡ଼ିଶା କଳି ଆହୁରି ତୀବ୍ରତର ହୋଇପାରେ। ୨୦୨୪ ନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ପ୍ରସ୍ତୁତିରେ ଲାଗିପଡିଥିବା ବେଳେ କଂଗ୍ରେସର ଘର କଳି କିନ୍ତୁ ତୁଟୁନି।