କୈଳାଶ ମାନସରୋବର ଯାତ୍ରା କାଳରେ ମିନାକ୍ଷୀ ଲେଖି ଆହତ, ଅଣ୍ଟାରେ ଲାଗିଛି ଆଘାତ

Published By : Prameya-News7 Bureau | July 20, 2025 IST

ନୂଆଦିଲ୍ଲୀ ୨୦।୭: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି କୈଳାଶ ମାନସରୋବର ଯାତ୍ରା କାଳରେ ଆହତ ହୋଇଛନ୍ତି। ତୀବ୍ବତର ଦାରାଚୀନ କ୍ଷେତ୍ରରେ ଯାତ୍ରା କରିବା ସମୟରେ ସେ ଖଚରରୁ ପଡି ଯାଇଛନ୍ତି, ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ଯାଞ୍ଚରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବାର ଜଣାପଡିଛି। ଘଟଣା ପରେ ମିନାକ୍ଷୀ ଲେଖି ଯାତ୍ରା ଅଧାରେ ଛାଡି ଭାରତ ଫେରିଛନ୍ତି। ରବିବାର ସକାଳେ ସେ ଲିପୁଲେଖ ପାର କରିଥିବା ବେଳେ ଗୁଞ୍ଜି ପହଞ୍ଚିଛନ୍ତି। 

ଉଚ୍ଚ ହିମାଳୟ କ୍ଷେତ୍ରରେ ପାଗ ଖରାପ ଥିବାରୁ ହେଲିକପ୍ଟର ଯୋଗେ ତାଙ୍କ ଉଦ୍ଧାର ସମ୍ଭବ ହୋଇ ପାରିନଥିଲା। ଏଣୁ ସଡ଼କ ମାର୍ଗରେ ତାଙ୍କୁ  ଧାରଚୂଲା ଅଣାଯାଉଛି। ଲିପୁଲେଖ ପାସ୍ ଦେଇ କୈଳାଶ ମାନସରୋବର ଯାତ୍ରାରେ ବାହାରିଥିବା ୪୮ ତୀର୍ଥ ଯାତ୍ରୀଙ୍କ ଦ୍ୱିତୀୟ ଦଳ ଜୁଲାଇ ୧୪ ତାରିଖ ଦିନ ତୀବ୍ବତକୁ ପ୍ରବେଶ କରିଥିଲା। ଏହି ଦଳରେ ଥିବା ୧୪ ମହିଳା ଯାତ୍ରୀଙ୍କ ମଧ୍ୟରେ ମିନାକ୍ଷୀ ଲେଖି ଜଣେ ଥିଲେ। 

ଏହା ପୂର୍ବରୁ ୪୫ ତୀର୍ଥ ଯାତ୍ରୀଙ୍କ ପ୍ରଥମ ଦଳ ଜୁଲାଇ ୧୦ ତାରିଖ ଦିନ ସମୁଦ୍ର ପତ୍ତନରୁ ୧୭,୫୦୦ ଫୁଟ ଉଚ୍ଚରେ ଥିବା ଲିପୁଲେଖ ପାସ୍ କୁ ପାର କରି ତୀବ୍ବତ ପହଞ୍ଚିଥିଲେ। ତୀବ୍ବତରେ ଅବସ୍ଥାନ କାଳରେ ତୀର୍ଥ ଯାତ୍ରୀ ତକଲାକୋଟ, ଦାରଚିନ, ଡେରାଫୁକ, ଜୁଙ୍ଗହୁଇ ପୁ ଓ କୁଗୁରେ ବିଶ୍ରାମ ନେଇ ଆଗକୁ ବଢିବେ ଓ କୈଳାଶ ପର୍ବତ ଓ ମାନସରୋବର ପରିକ୍ରମା କରିବେ। କୈଳାଶ ମାନସରୋବର ଯାତ୍ରାକୁ ଦ୍ୱିତୀୟ ବାର ଆରମ୍ଭ କରିବା ପାଇଁ ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ସହମତି ହୋଇଥିଲା। 

ଏନେଇ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ବୟାନ ଦେଇଥିଲେ ଓ କହିଥିଲେ ଆମେ ଆମର କୂଟନୈତିକ ସମ୍ପର୍କ ସ୍ଥାପନାର ୭୫ତମ ବାର୍ଷିକ ପାଳନ କରୁଛୁ। କୈଳାଶ ମାନସରୋବର ଯାତ୍ରା ପୁଣି ଆରମ୍ଭ ହେବା ଭାରତୀୟଙ୍କୁ ବେଶ୍ ଉତ୍ସାହିତ କରିଛି। ଏହି ସମ୍ପର୍କକୁ ଶରଳ କରିବା ପାଇଁ ଲଗାତାର କାମ କରାଯାଉଛି, ଯେଉଁଥିରେ ଉଭୟ ଦେଶଙ୍କ ଲାଭ ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.