ଦେବକୁଣ୍ଡ ଜଳ ପ୍ରପାତରେ ଅଘଟଣ; ଜଳ ପ୍ରପାତରେ ବୁଡ଼ି ମେଡ଼ିକାଲ୍ ଛାତ୍ର ମୃତ
4/06/2023 at 6:22 PM

ଉଦଳା ୦୪/୦୬: ସାଙ୍ଗସାଥୀଙ୍କ ସହିତ ଜଳପ୍ରପାତରେ ଗାଧଉଥିବା ବେଳେ ଘଟିଲା ଅଘଟଣ। ଗୋଡ଼ ଖସିଯିବାରୁ ପାଣିରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ। ଏପରି ଅଘଟଣ ଉଦଳା ଥାନା ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ଘଟିଛି। ମୃତକ ଛାତ୍ରଙ୍କ ପରିଚୟ ଲିପେନ ସାହୁ। ଲିପେନ୍ ବ୍ରହ୍ମପୁର ଥାନା ଗଳନ୍ଥରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ। ସେ ତାଙ୍କର ୭ ସାଙ୍ଗଙ୍କ ସହ ଦେବକୁଣ୍ଡ ବୁଲିବାକୁ ଆସିଥିଲେ।

ଖବର ଅନୁସାରେ, ସେମାନେ ଜଳପ୍ରପାତରେ ଗାଧୋଇବା ବେଳେ ହଠାତ ଲିପେନଙ୍କର ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।