ଦଲାଲ ପକଡ଼ୋ କାର୍ଯ୍ୟାନୁଷ୍ଠାନ : ୭ ଦଲାଲଙ୍କୁ ଏମକେସିଜି ଡାକ୍ତରଖାନାରୁ ଧରିଲା ପୋଲିସ

Published By : Prameya-News7 Bureau | October 18, 2022 IST

ବ୍ରହ୍ମପୁର ୧୮/୧୦: ବ୍ରହ୍ମପୁର ବଡ ମେଡିକାଲର ବଡ଼ ଗୁମର କଥା। ଭଲ ଚିକିତ୍ସା ଏବଂ ବିନା ଟଙ୍କାରେ ଚିକିତ୍ସିତ ହେବାକୁ ରୋଗୀ ବ୍ରହ୍ମପୁର ବଡ ମେଡିକାଲକୁ ଆସନ୍ତି। ହେଲେ ସେଠାରେ ଦଲାଲ୍ କବଜାରେ ପଡ଼ି ରୋଗୀ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଥିଲା। ପରେ ଏନେଇ ବ୍ରହ୍ମପୁର ପୋଲିସ ଦଲାଲ୍ ପକଡୋ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏବେ ପୋଲିସ କବଜାରେ ଦଲାଲ୍। କାର୍ଯ୍ୟାନୁଷ୍ଠାନ ପରେ ପୋଲିସ ୭ ଦଲାଲଙ୍କୁ ଧରି ଫାଣ୍ଡିରେ ଅଟକ ରଖିଛି।

ଖବର ଅନୁସାରେ, ୧୫ ଜଣିଆ ପୋଲିସ ଟିମ ଭୋର ସକାଳୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଡାକ୍ତରଖାନାରେ ପହଞ୍ଚିଥିଲେ। ଚିକିତ୍ସାଳୟର ବିଭିନ୍ନ ବିଭାଗରେ ପୋଲିସ କର୍ମଚାରୀମାନେ ରୋଗୀ ଭାବେ ଯାଇଥିଲେ। ଶଲ୍ୟ ଚିକିତ୍ସା ବିଭାଗରେ ଅଲଟ୍ରାସାଉଣ୍ଡ୍ କରିବାକୁ ରୋଗୀ ବେଶରେ ଜଣେ ପୋଲିସ କର୍ମଚାରୀ ଯାଉଥିଲେ। ଏତିକିବେଳେ ଜଣେ ଦଲାଲ୍ ଘରୋଇ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ୍ କରାଇଦେବ କହି ତାଙ୍କୁ ପ୍ରଭାବିତ କରିଥିଲା।

ଏହି ସମୟରେ ପୋଲିସ ସମ୍ପୃକ୍ତ ଦଲାଲଙ୍କୁ କାବୁ କରିଥିଲା ବୋଲି ଜଣେ କାର୍ଯ୍ୟରତ କନେଷ୍ଟବଳ କହିଛନ୍ତି। ଏଭଳି ସେଠାର ବିଭିନ୍ନ ବିଭାଗରେ ସକାଳରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ଚଢ଼ଉ କରି ୭ ଦଲାଲଙ୍କୁ ଧରାହୋଇଛି ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ କହିଛନ୍ତି। ଅନ୍ୟପଟେ ଏନେଇ ବୈଦନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ଆରକ୍ଷ ଅଧିକ୍ଷକ ଜଣାଇଛନ୍ତି। ପୋଲିସର ଏଭଳି ପଦକ୍ଷେପ ପାଇଁ ଏବେ ସହରବାସୀ ବେଶ ଖୁସି ଅଛନ୍ତି। ଏଭଳି ଚଢ଼ଉ ଜାରି ରଖି ଡାକ୍ତରଖାନାକୁ ସଂପୂର୍ଣ୍ଣ ଦଲାଲ୍ ମୁକ୍ତ କରିବାକୁ ବ୍ରହ୍ମପୁର ସହରବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.