ପ୍ରଥମେ ପୁରୁଷ ବନ୍ଧୁଙ୍କୁ ନିର୍ଦ୍ଧୁମ ଛେଚିଲେ, ପରେ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ୪ ରାକ୍ଷସ

Published By : Prameya-News7 Bureau | August 25, 2021 IST

ବେଙ୍ଗାଲୁରୁ ୨୫/୦୮: ପୁଣି ଲଜ୍ଜା ! ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । କର୍ଣ୍ଣାଟକର ମୈସୁରରେ ଘରୋଇ ମେଡିକାଲ କଲେଜ୍‌ରେ ପଢ଼ୁଥିବା ଛାତ୍ରୀଙ୍କୁ ସହର ବାହାରେ ଳଳିତାଦ୍ରୀପୁରରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ମଙ୍ଗଳବାର ନିଜ ପୁରୁଷ ବନ୍ଧୁଙ୍କ ବାଇକ୍‌ରେ ବସି ଚାମୁଣ୍ଡା ହିଲ୍ସ ଯାଉଥିଲେ। ସେତେବେଳେ କିଛି ଲୋକ ସେମାନଙ୍କୁ ଅଟକାଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ।

ଟଙ୍କା ନଦେବାରୁ ଗଣଦୁଷ୍କର୍ମ
ଗ୍ୟାଙ୍ଗରେ ଆସିଥିବା ରାକ୍ଷସ ସେମାନଙ୍କୁ ପ୍ରଥମେ ଟଙ୍କା ମାଗିଥିଲେ। ଯେତେବେଳେ ସେମାନଙ୍କୁ ଟଙ୍କା ମିଳିଲା ନାହିଁ ଛାତ୍ରୀଙ୍କ ବନ୍ଧୁଙ୍କୁ ମାଡ଼ ମାରିଥିଲେ। ପରେ ଯୁବତୀଙ୍କୁ ଘୁଷାରି ନେଇ ନିର୍ଜନ ସ୍ଥାନରେ ଦୁଷ୍କର୍ମ କରିଥିଲେ। ଏବେ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ହସ୍ପିଟାଲରେ ଅଛନ୍ତି। ସେମାନଙ୍କ ଅଭିଯୋଗ କ୍ରମେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରଜୁ କରିଛି। ମୈସୁର ଏସପି ଘଟଣାସ୍ଥଳ ଗସ୍ତ କରିବା ସହ ମାମଲାର ତଦନ୍ତ ପାଇଁ ଟିମ୍‌ ଗଠନ କରିଛନ୍ତି।

କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଗଣଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି, ଡିଜିପି ପ୍ରବୀଣ ସୁଦଙ୍କୁ ଦୋଷୀଙ୍କୁ ଧରିବା ପାଇଁ ନିର୍ଦେଶ ଦେଇଛନ୍ତି। ବୋମ୍ମଇ କହିଛନ୍ତି, ‘ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ମୁଁ ଡିଜିପିଙ୍କୁ ନିର୍ଦେଶ ଦେଇଛି ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।’

କାଲି ମୈସୁର ଯିବେ ଗୃହମନ୍ତ୍ରୀ
ରାଜ୍ୟର ଗୃହମନ୍ତ୍ରୀ ଅର୍ଗା ଜ୍ଞାନେନ୍ଦ୍ର ଘଟଣାକୁ କଡ଼ା ନିନ୍ଦା କରିବା ସହ ମାମଲାରେ ତଦନ୍ତ ଜୋରଦାର କରିବାକୁ ପୋଲିସକୁ ନିର୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତ ପରେ ଜଣାପଡ଼ିଛି ଅପରାଧରେ ୪ ଜଣ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି । ଗୃହମନ୍ତ୍ରୀ ଗୁରୁବାର ମୈସୁର ଯିବେ ବୋଲି ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.