ଗୋଟିଏ ଛେଳିର ମୃତ୍ୟୁ ଯୋଗୁଁ ମହାନଦୀ କୋଲ୍‌ ଫିଲ୍ଡର ୨.୬୮ କୋଟି ଟଙ୍କା କ୍ଷତି

Published By : Prameya-News7 Bureau | October 01, 2019 IST

ଭୁବନେଶ୍ୱର - ଗୋଟିଏ ଛେଳିର ମୃତ୍ୟୁ ପାଇଁ ମହାନଦୀ କୋଲ୍‌ ଫିଲ୍ଡ୍‌ ବା ଏମ୍‌ସିଏଲ୍‌ର ୨.୬୮ କୋଟି ଟଙ୍କା କ୍ଷତି ହୋଇଛି । ତାଳଚେରରେ ଥିବା ମହାନଦୀ କୋଲ୍‌ ଫିଲ୍ଡର ଏକ ଖଣି ନିକଟରେ ଟିପର ଧକ୍କାରେ ଗୋଟିଏ ଛେଳିର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ୬୦ ହଜାର ଟଙ୍କା କ୍ଷତି ପୂରଣ ଦାବି କରିଥିଲେ । ଏଥିପାଇଁ ଅନେକ ସମୟ ଧରି କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଥିଲା ।
ଜଗନ୍ନାଥ ସାଇଡିଂ ନିକଟରେ ଏହି ଘଟଣା ଘଟିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଯୋଗୁଁ କୋଇଲା ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା । ସୋମବାର ସକାଳ ୧୧ ଟା ସମୟରେ ଏହି ଘଟଣା ଘଟିଥିଲା ।

ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ଓ ପୁଲିସ ବିକ୍ଷୋଭକାରୀଙ୍କ ସହ କଥାବାର୍ତ୍ତା କରିବା ପରେ ସେମାନେ ଆନ୍ଦୋଳନରୁ ଉଠିଥିଲେ । ଦିନ ୨ଟା ୩୦ ପରେ କାମ ଆରମ୍ଭ ହୋଇଥିଲା । ସାଢେ ତିନି ଘଣ୍ଟା କାମ ବନ୍ଦ ରହିବାରୁ କୋଇଲା ପରିବହନରେ ୧.୪ କୋଟି ଟଙ୍କା କ୍ଷତି ଓ ରେଳ ଡେସ୍‌ପାଚରେ ୧.୨୮ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି । ଏମ୍‌ସିଏଲ୍‌ ପକ୍ଷରୁ ଏକ ଇସ୍ତାହାରରେ ଏହି ସୂଚନା ଦିଆଯାଇଛି ।
ସରକାରଙ୍କର ମଧ୍ୟ ୪୬ ଲକ୍ଷ ଟଙ୍କା ରାଜସ୍ୱହାନୀ ହୋଇଛି ।

କମ୍ପାନୀ ପକ୍ଷରୁ ଏପରି ବେଆଇନ ଭାବେ କାର୍ଯ୍ୟବନ୍ଦ କରିଥିବା ଲୋକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

ଏହା ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ବାଧକବୋଲି କମ୍ପାନୀ ର ମୁଖପାତ୍ର ସୂଚନା ଦେଇଛନ୍ତି । କୋଇଲା ଖଣି ଏକ ପ୍ରତିବନ୍ଧ ଲାଗିଥିବା ଅଞ୍ଚଳ । ଏଠାରେ କେବଳ ଅଧିକୃତ ଶ୍ରମିକ ଓ ଅଧିକାରୀମାନେ ପ୍ରବେଶ କରିଥାଆନ୍ତି । ମାତ୍ର ସେହି ସ୍ଥାନର ଛେଳି ଚରା ସହ ଅନ୍ୟମାନେ ପ୍ରବେଶ କରୁଥିବାରୁ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । କିଛି ଲୋକ କୋଇଲା ଚୋରି ପାଇଁ ବେଆଇନ ଭାବେ ଖଣି ଅଞ୍ଚଳରେ ପ୍ରବେଶ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.