IAS କୋଚିଂ ସେଣ୍ଟର ଦୁର୍ଘଟଣା ପରେ ଆକ୍ସନରେ MCD, ଚାଲିଲା ବୁଲଡୋଜର

Published By : Prameya-News7 Bureau | July 29, 2024 IST

ନୂଆଦିଲ୍ଲୀ : ଦିଲ୍ଲୀରେ ଆଇଏଏସ୍ କୋଚିଂ ସେଣ୍ଟର ଦୁର୍ଘଟଣା ପରେ ଦିଲ୍ଲୀ ନଗର ନିମଗ (ଏମସିଡି) ଆକ୍ସନ ମୋଡକୁ ଆସିଛନ୍ତି। କୋଚିଂ ସେଣ୍ଟର ବାହାରେ ଏମସିଡି ବୁଲଡୋଜର ଚଳାଇଛନ୍ତି। ଇନିଷ୍ଟେଚ୍ୟୁଟ ବାହାରେ ଡ୍ରେନେଜ ସିଷ୍ଟମକୁ ଘୋଡାଇ ଯେଉଁ ଫୁଟପାଥ ତିଆରି କରାଯାଇଛି ସେଗୁଡିକୁ ବୁଲଡୋଜରରେ ଭଙ୍ଗା ଯାଉଛି। ଜବରଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ମହଜୁଦ ଅଛନ୍ତି। 

ରାଉ କୋଚିଂ ସେଣ୍ଟର ଦୁର୍ଘଟଣା ପରେ ଦିଲ୍ଲୀ ନଗର ନିଗମ କମିଶନର ଅଶ୍ୱିନୀ କୁମାର ସ୍ଥାନୀୟ ଜୁନିୟର ଇଞ୍ଜିନିର (ଜେଇ) ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ)ଙ୍କୁ ଚାକିରୀରୁ ଟର୍ମିନେଟ କରିଛନ୍ତି। ଦୁର୍ଘଟଣା ପରେ ନିଗମର ଏହି ଅଧିକାରୀଙ୍କ ଉପରେ ଏହା ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ। ଓଲ୍ଡ ରାଜେନ୍ଦ୍ର ନଗର ଘଟଣାରେ ଦିଲ୍ଲୀ ପୋଲିସ ଏ ପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କଲାଣି। ପ୍ରଥମେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ ୫ ଜଣଙ୍କୁ ଗିରଫ  ହୋଇଛନ୍ତି। 

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବେସମେଣ୍ଟର ମାଲିକ ଅମରଜିତ ଓ ତାଙ୍କ ପୁଅ ବି ଅଛନ୍ତି। ଏହା ସହିତ ସେହି କଳାଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଛି ଯିଏ ସେହି ରାସ୍ତା ଦେଇ ଯିବା ଯୋଗୁ ପାଣି ଚାପରେ ବିଲ୍ଡିଂର ଫାଟକ ଭାଙ୍ଗିଯାଇଥିଲା। ଦିଲ୍ଲୀ ପୋଲିସ ଅନୁସାରେ କଳା ରଙ୍ଗର ଯେଉଁ ଗାଡ଼ି ଟି ଦେଖାଯାଉଛି ତାହା ମହିନ୍ଦ୍ରା ଥର ନୁହେଁ ଫୋର୍ସ ଗୁର୍ଖା ଗାଡ଼ିଥିଲା। ପୋଲିସ ମୁତାବକ ରୁଜୁ ଏଫଆଇଆର ର ଦଫା ଅନୁସାରେ ଡ୍ରାଇଭରକୁ ଗିରଫ କରାଯାଇଛି। ଏତଲାରେ ବିଏନଏସ୍ ଧାରା ୧୦୫,୧୦୬(୧), ୧୧୫(୨), ୨୯୦ ଓ ୩(୫)ରେ ମୋକଦ୍ଦମା ରୁଜୁ ହୋଇଛି। 

ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏମସିଡି ମେୟର ଡ. ସେଲି ଓବ୍ରୟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରବିବାର ଏମସିଡିକୁ ଚିଠି ଲେଖିଥିଲେ। ଏଥିରେ ଏହି ଘଟଣା ପାଇଁ ଦାୟି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ  ଦାବି କରିଥିଲେ।  ଏହା ପରେ ଦିଲ୍ଲୀରେ ସିଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବେସମେଣ୍ଟମାନଙ୍କରେ ଚାଲୁଥିବା ପାଖାପାଖି ୧୩ଟି କୋଚିଂ ସେଣ୍ଟରକୁ ସିଲ କରି ଦିଆଯାଇଛି। 

ପୂର୍ବରୁ ଛାତ୍ର କରିଥିଲେ ଅଭିଯୋଗ
 କିଶୋର ନାମକ ଜନୈକ ଛାତ୍ର ୨୬ ଜୁନ ୨୦୨୪ରେ ଏପରି କୌଣସି ଦୁର୍ଘଟଣାର ଆଶଙ୍କା କରିଥିଲେ। ସେ କୋଚିଂ ସେଣ୍ଟର ବେସମେଣ୍ଟକୁ ନେଇ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗ୍ରିଭାନ୍ସ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରି ସେ କହିଥିଲେ କିପରି ଓଲ୍ଡ ରାଜେନ୍ଦ୍ର ନଗର ଓ ପଟେଲ ନଗରରେ ଲାଇବ୍ରେରୀ କୋଚିଂ ସେଣ୍ଟରର ବେସମେଣ୍ଟରେ ଚାଲୁଛି। ଖାସ କରି ସେ ରାଉ କୋଚିଂ ସେଣ୍ଟର ଯେଉଁଠି ଘଟଣା ଘଟିଛି ତାର ଅଭିଯୋଗ କରିଥିଲେ। ସେ ଏଥି ପାଇଁ ଅଭିଯୋଗ କରିଥିଲେ ଯେ ସେଠାରେ ଦୁର୍ଘଟଣା ଘଟିବ ବୋଲି ସେ ଆଶଙ୍କା କରୁଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.