MCD ଏକଜିଟ୍ ପୋଲ: ଦିଲ୍ଲୀରେ ଆପ୍କୁ ବହୁମତ ମିଳିବା ସମ୍ଭାବନା; ହାତେଇବ ୧୪୯ ରୁ ୧୭୧ଟି ଆସନ
5/12/2022 at 9:34 PM

ନୂଆଦିଲ୍ଲୀ ୦୫/୧୨: ଚଳିତ ସପ୍ତାହ ରବିବାର ରାଜଧାନୀ ଦିଲ୍ଲୀରେ ମ୍ୟୁନିସିପାଲ କର୍ପୋରେସନ୍ (ମହାନଗର ନିଗମ) ନିର୍ବାଚନ ହୋଇଥିଲା। ଡିସେମ୍ୱର ୭ରେ ଏହାର ଫଳାଫଳ ଘୋଷଣା ହେବ। ଡିସେମ୍ୱର ୮ରେ ଗୁଜୁରାତ ବିଧାନସଭା ନିର୍ବାଚନ ସହିତ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଫଳାଫଳ ଜଣାଡ଼ିବ। ତାହେଲେ ଦିଲ୍ଲୀ ଇଣ୍ଡିଆଟୁଡେ ଗ୍ରୁପ୍ ଦ୍ୱାରା ହୋଇଥିବା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନର ଏକଜିଟ୍ ପୋଲ ଆସନ୍ତୁ ଜାଣିବା।
ଦିଲ୍ଲୀରେ ଆମ ଆଦମି ପାର୍ଟି ୧୪୯ରୁ ୧୭୧ଟି ଆସନ ପାଇବ। ସେହିପରି ଏହି ନିର୍ବାଚନରେ ବିଜେପିକୁ ୬୯ରୁ ୯୧ଟି ସିଟ୍ ମିଳିପାରେ। ଅନ୍ୟପଟେ ଏଥିରେ କଂଗ୍ରେସ ଖାତାକୁ ମାତ୍ର ୦୩ ରୁ ୭ଟି ଆସନ ଯାଇପାରେ ବୋଲି ଏକଜିଟ୍ ପୋଲରେ କଳନା କରାଯାଇଛି। ଏହାସହିତ ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କ ଭାଗ୍ୟରେ ୫ରୁ ୯ଟି ଆସନ ରହିଥିବା ଏକଜିଟ ପୋଲରୁ ଜଣାପଡ଼ିଛି।
ଆଉ ୨ ଦିନ ପରେ ଦିଲ୍ଲୀ ମହାନଗର ନିର୍ବାଚନର ଫଳାଫଳ ବାହାରିବ। ଗତ ରବିବାର ଦିଲ୍ଲୀରେ ମହାନଗର ନିର୍ବାଚନ ହୋଇଥିଲା। କିନ୍ତୁ ଏଥର ଦିଲ୍ଲୀରେ ଏକଜିଟ୍ ପୋଲ ହିସାବରେ କିଏ କ୍ଷମତାକୁ ଆସିବ ତାକୁ ସମସ୍ତେ ନଜର ରଖିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏଥର ଦିଲ୍ଲୀରେ ମାତ୍ର ୫୦ ପ୍ରତିଶତ ଭୋଟରମାନେ ମତଦାନ କରିଛନ୍ତି। କିନ୍ତୁ ଚଳିତ ଥର କଂଗ୍ରେସ, ବିଜେପି ଓ ଆପ୍ ମଧ୍ୟରେ ତ୍ରିକୋଣିୟ ନିର୍ବାଚନି ଲଢ଼େଇ ହୋଇଥିଲା।
ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲ ଅନୁସାରେ, ପୂର୍ବାଞ୍ଚଳର ୪୩ ପ୍ରତିଶତ ଭୋଟର ଆମ ଆଦମି ପାର୍ଟିକୁ ଭୋଟ ଦେଇଛନ୍ତି। ସେହିପରି ୩୭ ପ୍ରତିଶତ ମତଦାତାମାନେ ବିଜେପିକୁ ଭୋଟ ଦେଇଛନ୍ତି। ଅନ୍ୟପଟେ ୮ ପ୍ରତିଶତ ଭୋଟରମାନେ କଂଗ୍ରେସକୁ ପସନ୍ଦ କରିଥିବା ବେଳେ ୧୨ ପ୍ରତିଶତ ଭୋଟରମାନେ ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କୁ ଭୋଟ ଦେଇଛନ୍ତି।
ସମାନ ଢଙ୍ଗରେ ଜାତିଗତ ଭୋଟ କଥା କହିଲେ ଏହି ନିର୍ବାଚନରେ ୪୮ ପ୍ରତିଶତ ପଞ୍ଜାବୀମାନେ ଆମ ଆଦମି ପାର୍ଟିକୁ ଭୋଟ ଦେଇଥିବା ବେଳେ ୨୪ ପ୍ରତିଶତ ବିଜେପିକୁ ଭୋଟ ଦେଇଛନ୍ତି। ସେହିପରି ଅନ୍ୟପଟେ ୮ ପ୍ରତିଶତ ପଞ୍ଜାବି ଭୋଟର କଂଗ୍ରେସକୁ ଭୋଟ ଦେଇଥିଲା ବେଳେ ୧୦ ପ୍ରତିଶତ ଅନ୍ୟମାନଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି। କିନ୍ତୁ ପ୍ରକାଶ ପାଇଥିବା ଏହି ଏକଜିଟ୍ ପୋଲ୍ର ସତ୍ୟତା କେତେ ତାହା ସମୟ କହିବ। କିନ୍ତୁ ଏବେ ଦିଲ୍ଲୀ ମହାନଗର ନିର୍ବାଚନ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା।