ରିଜ୍ୟୁମ ଧରି ୫ ଦିନ ରାସ୍ତା ଉପରେ ଛିଡାହେଲେ MBA ଗ୍ରାଜୁଏଟ୍, ଏମିତି ମିଳିଲା ଚାକିରୀ !

Published By : Prameya-News7 Bureau | October 22, 2022 IST

ନୂଆଦିଲ୍ଲୀ ୨୨/୧୦: ୯୫ ଥର ଚାକିରୀରୁ ରିଜେକ୍ସନ ପାଇବା ପରେ ମିଳିଛି ଚାକିରୀ । ନିଜ ରିଜ୍ୟୁମ୍ ଧରି ରାସ୍ତାରେ ଛିଡା ହେବାର ପାଞ୍ଚ ଦିନ ମଧ୍ୟରେ ମିଳିଛି ଅଫର । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଘଟଣା ଏବେ ବେଶ୍ ଚର୍ଚ୍ଚାରେ । ନଭେମ୍ବରରୁ ସେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି । ଲଣ୍ଡନରେ ଘଟିଛି ଏହି ଘଟଣା । ଆଉ ଚାକିରୀ ପାଇଥିବା ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମହମ୍ମଦ ଅରହମ୍ ଶାହାଜାଦ ।

ଲଣ୍ଡନ ରାଜରାସ୍ତାରେ ରିଜ୍ୟୁମ୍, ସୁଟକେସ୍, ଲିଙ୍କଡଇନ୍ QR କୋଡ୍ ସହିତ ଠିଆ ହୋଇଥିବା ଯୁବକ ହେଉଛନ୍ତି ପାକିସ୍ତାନର ବାସିନ୍ଦା । ଶାହାଜାଦ ଲଣ୍ଡନରେ ବର୍ଷ ବର୍ଷ ଧରି ଖୋଜୁଥିଲେ ଚାକିରୀ । ହେଲେ ଅନେକ ଦିନ ପରେ ବି ମିଳିନଥିଲା ସଫଳତା । MBA ଅଧ୍ୟୟନ କରିବା ପରେ ମଧ୍ୟ ସେ ୯୫ଟି କମ୍ପାନୀରେ ଆବେଦନ କରିଥିଲେ । କିନ୍ତୁ ଏହି ସବୁ ସ୍ଥାନରୁ ତାଙ୍କୁ କରାଯାଇଥିଲା ପ୍ରତ୍ୟାଖ୍ୟାନ । ତା’ପରେ ନିଜକୁ ଏସବୁରୁ ବାହାର କରି ନିଜେ କରିଥିଲେ ନିଜର ବିଜ୍ଞାପନ ।

ଏହା ପରେ ସେ ଲଣ୍ଡନ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଲେ । ସାଙ୍ଗରେ ଧରିଲେ ରିଜ୍ୟୁମ୍, ସୁଟକେସ୍ ଏବଂ ଲିଙ୍କଡଇନ୍ QR କୋଡ୍ । ଶାହାଜାଦ କହିଛନ୍ତି ମୁଁ ପ୍ରତିଦିନ ପ୍ରତ୍ୟାଖ୍ୟାନ ପରେ ବହୁତ ଥକ୍କି ଯାଇଥିଲି । ଶେଷରେ କିଛି ଅଲଗା କରିବାକୁ ନେଇଥିଲି ନିଷ୍ପତ୍ତି । ଜୁଲାଇ ୧୧ରେ, ଶାହାଜାଦ ସକାଳୁ ଉଠି ଏକ ବୋର୍ଡ ତିଆରି କରିଥିଲେ । ଏଥିରେ ଲିଙ୍କଡଇନ୍ QR କୋଡ୍ ଲଗାଇଥିଲେ । ପରେ ସେ ଲଣ୍ଡନର କାନାରିକୁ ଯାଇଥିଲେ ।

ଗଣମାଧ୍ୟମକୁ ସାକ୍ଷାତ ଦେଇ ଶାହାଜାଦ କହିଛନ୍ତି ଯେ ସେ ରାସ୍ତାରେ ଛିଡାହୋଇଥିଲେ ହସ ହସ ମୁହଁରେ । ତେବେ ରାସ୍ତାରେ ଯା ଆସ କରୁଥିବା ଲୋକଙ୍କୁ ଟିକିଏ ହେଲେ ହଇରାଣ କରିନଥିଲେ । ଦିନେ ସନ୍ଧ୍ୟାରେ ଶାହାଜାଦ ଯାଉଥିବା ସମୟରେ ଦେଖିଲେ ଯେ ତାଙ୍କ ନିକଟକୁ ୨୦୦ ଲୋକ ଆସୁଛନ୍ତି । ଏତେ ସଂଖ୍ୟାରେ ଲୋକଙ୍କ ରେସପଣ୍ଡ ଦେଖି ତାଜୁବ ହୋଇଯାଇଥିଲେ ଶାହାଜାଦ୍ ।

ଶାହାଜାଦ କହିଛନ୍ତି ଯେ କିଛି ଲୋକ ଆସି ମୋ ପାଖରେ ଅଟକି ଲିଙ୍କଡଇନ QR କୋଡ୍ ସ୍କାନ୍ କଲେ, ମୋର ଫଟୋ କ୍ଲିକ୍ କରି ଆଗକୁ ଚାଲିଗଲେ । ଏହି ସମୟରେ JPMorganର ନିର୍ଦ୍ଦେଶକ ମଧ୍ୟ ତାଙ୍କ ନିକଟକୁ ଆସି ତାଙ୍କ ବିଜିନେସ୍ କାର୍ଡ ଦେଇଥିଲେ । ପରେ ଶାହାଜାଦଙ୍କ ପାଖକୁ ଆସିଥିଲା ତାଙ୍କ ବାର୍ତ୍ତା । ବାର୍ତ୍ତାରେ କୁହାଯାଇଥିଲା ରିଜ୍ୟୁମ ସର୍କୁଲେଟ ସରିଛି । ଖୁବଶୀଘ୍ର ତୁମ ପାଖକୁ ଅଫର ଆସିବ । ଏମିତି ୫ ଦିନ ଛିଡା ହେବା ପରେ ତାଙ୍କ ପାଖକୁ ଆସିଥିଲା ଡାଟା ଆନାଲିଷ୍ଟ ଜବ୍ ଅଫର । ପରେ ସେ ଏହାକୁ ଆକ୍ସେପ୍ଟ କରିବା ସହ ନଭେମ୍ୱରରେ ଜଏନ କରିବେ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.