ଗ୍ରୀଷ୍ମରେ ଭୋଗିବାକୁ ପଡିପାରେ ସମସ୍ୟା, ଏପ୍ରିଲ ମାସରୁ ରାତିରେ କଟିପାରେ ବିଜୁଳି
9/03/2023 at 4:26 PM

ନୂଆଦିଲ୍ଲୀ ୯।୩: ଆଗାମୀ ଏପ୍ରିଲ ମାସରୁ ଗରମରେ ଆପଣ ହଇରାଣ ହୋଇପାରନ୍ତି। ବିଦ୍ୟୁତ କାଟ୍ ଯୋଗୁ ରାତିରେ ଆପଣଙ୍କ ଏସି, କୁଲର କି ଫ୍ୟାନ ଚାଲି ନପାରେ। ମାର୍ଚ୍ଚ ମାସ ଆରମ୍ଭରୁ ଦେଶରେ ତାପମାତ୍ରା ବଢିବାକୁ ଲାଗିଲାଣି। ଏଥିରେ ଏପ୍ରିଲ ମାସରେ ଯଦି ବିଦ୍ୟୁତ କାଟ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ତେବେ ଏହା ନିଶ୍ଚିତ ରୂପେ ଚିନ୍ତାର କାରଣ ହୋଇପାରେ। କୋଇଲାରେ ଚାଲୁଥିବା ବିଦ୍ୟୁତ ପ୍ଲାଣ୍ଟକୁ ସଂଯୋଗ କରିବାରେ ବିଳମ୍ବ ଓ ହାଇଡ୍ରୋ ପାୱାର ପ୍ରୋଜେକ୍ଟରୁ କମ୍ ବିଦ୍ୟୁତ ଉତ୍ପାଦନ ଯୋଗୁ ଏପରି ସମସ୍ୟା ଉପୁଜିପାରେ।
ରିପୋର୍ଟ ଅନୁସାରେ ସୋଲାର ପାୱାର ପ୍ଲାଣ୍ଟ ଯୋଗୁ ଦିନବେଳା ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ ହୋଇଯିବ। ହେଲେ ରାତିରେ ସୋଲାର ବିଦ୍ୟୁତ ଉପଲବ୍ଧ ହୋଇ ନ ପାରିବା କାରଣରୁ ବିଦ୍ୟୁଟ ସଂକଟର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆକଳନ କରାଯାଉଛି। ଫେଡେରାଲ ଗ୍ରିଡ ରେଗ୍ୟୁଲେଟର ଗ୍ରିଡ କଣ୍ଟ୍ରୋଲର ଅଫ ଇଣ୍ଡିଆଙ୍କ ଇଟର୍ଣ୍ଣାଲ ରିପୋର୍ଟ ଅନୁସାରେ ଏପ୍ରିଲରେ ପିକ୍ ଡିମାଣ୍ଡ କାଳରେ ୧.୭ ପ୍ରତିଶତ କମ ବିଦ୍ୟୁତ ଉପଲବ୍ଧ ହୋଇପାରେ। ଏପ୍ରିଲ ମାସ ରାତିରେ ୨୧୭ ଗିଗାୱାଟ ବିଦ୍ୟୁତର ଚାହିଦା ରହିପାରେ ଯାହା ଏପ୍ରିଲ ୨୦୨୨ ତୁଳନାରେ ୬.୪ ପ୍ରତିଶତ ଅଧିକ। ଏଣୁ ଗ୍ରୀଷ୍ମ ଋତୁ ରାତିରେ ବିଦ୍ୟୁତ ସଂକଟ ଉପୁଜିପାରେ।

କୋଇଲା, ନ୍ୟୁକ୍ଲିୟର ଓ ଗ୍ୟାସ୍ ମାଧ୍ୟମରେ ହେଉଥିବା ବିଦ୍ୟୁତ ଉତ୍ପାଦନ ରାତିରେ ମୋଟ ଡିମାଣ୍ଡର ୮୩ ପ୍ରତିଶତ ପୂରଣ କରିପାରିବ। ବାକି ବିଦ୍ୟୁତ ଆବଶ୍ୟକତା ପୂରଣ ପାଇଁ ହାଇଡ୍ରୋପାୱାର ପ୍ଲାଣ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ତେବେ ଚଳିତ ଏପ୍ରିଲରେ ଗତବର୍ଷ ଏପ୍ରିଲ ମାସ ତୁଳନାରେ ହାଇଡ୍ରୋପାୱାରରୁ ୧୮ ପ୍ରତିଶତରୁ କମ୍ ବିଦ୍ୟୁତ ଯୋଗାଣ ହୋଇପାରେ ବୋଲି ଗ୍ରିଡ ଇଣ୍ଡିଆ ପୂର୍ବରୁ ଭବିଷ୍ୟତବାଣୀ କରିଛନ୍ତି।
ତେବେ ବିଦ୍ୟୁତର ଚାହିଦା ଓ ଯୋଗାଣରେ ଅନ୍ତର ଲାଗି କୋଇଲା ଆଧାରିତ ପାୱାର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ଦାୟି କରାଯାଉଛି। ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟିଙ୍କ ଡାଟା ଅନୁସାରେ ୧୬.୮ ଗିଗାୱାଟ କ୍ଷମତା ସମ୍ପନ୍ନ ୨୬ କୋଲ ବେସଡ୍ ପାୱାର ପ୍ଲାଣ୍ଟର କନଷ୍ଟ୍ରକ୍ସନ ୧ ବର୍ଷ ବିଳମ୍ବିତ ହୋଇଛି। ତେବେ ଏଥିରେ ଏପରିବି ପାୱାର ପ୍ଲାଣ୍ଟ ରହିଛି ଯେଉଁଗୁଡିକର ନିର୍ମାଣରେ ୧୦ ବର୍ଷରୁ ବି ଅଧିକ ବିଳମ୍ବ ହେଲାଣି। ଏଣୁ ଗ୍ରୀଷ୍ମଋତୁରେ ଦେଶରେ ବିଦ୍ୟୁତର ଚାହିଦା ଓ ଯୋଗାଣରେ ଅନ୍ତର ବଢି ବଢି ଚାଲିଛି।