ନିର୍ବାଚନରେ ପରାଜୟ ସ୍ୱୀକାର କଲେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ ଜଗନ୍ନାଥ

Published By : Prameya-News7 Bureau | November 11, 2024 IST

ପୋର୍ଟଲୁଇସ୍ ୧୧।୧୧: ମରିସସ୍ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ତାଙ୍କ ମେଣ୍ଟ ଏଲ, ଏଲାଏନ୍ସ ଲେପେପକୁ ବଡ଼ ‘ପରାଜୟ’ର ସମ୍ମୁଖୀନ ହେବାକୁ ପଡିଛି। ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ ଜଗନ୍ନାଥ ସୋମବାର ସାମ୍ବାଦିକଙ୍କ ସହ ଆଲୋଚନାରେ ଏହି ସୂଚନା ଦେଇଥିବା ବେଳେ ଜନତା ସରକାର ନିମନ୍ତେ ଅନ୍ୟ ଟିମ୍‌କୁ ବାଛିବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି। 

ଜଗନ୍ନାଥ ଆଉ ୫ ବର୍ଷର ଦ୍ୱିତୀୟ କାର୍ଯ୍ୟକାଳ ଚାହୁଁଥିଲେ,  ହେଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଏଲାଏନ୍ସ ଅଫ ଚେଞ୍ଜ ମେଣ୍ଟର ନେତା ନବୀନ ରାମ ଗୁଲାମ ହୀନ୍ଦ ମହାସାଗର ଦ୍ୱୀପ ସମୂହର ପରବର୍ତ୍ତି ନେତା ହେବାକୁ ପ୍ରସ୍ତୁତ ହେଉଛନ୍ତି। ମରିସସକୁ ଆଫ୍ରିକାର ସବୁଠୁ ସ୍ଥିର ଗଣତନ୍ତ୍ରର ଦେଶ ରୂପେ ଜଣାଯାଏ। ତେବେ ଚଳିତ ନିର୍ବାଚନରେ ପବ୍ଲିକ ଫିଗରମାନଙ୍କର ଲିକ୍ ହୋଇଥିବା ରେକର୍ଡିଂ ଓ ଫୋନ ଟ୍ୟାପିଙ୍ଗ କାଣ୍ଡ ସେମାନଙ୍କ ରାଜନୀତିରେ ଦାଗ ଲଗାଇ ଦେଇଛି। 

ଏହିସବୁ କାଣ୍ଡ ପରେ ସରକାର ନିର୍ବାଚନ ପର ପର୍ଯ୍ୟନ୍ତ ସୋସିଆଲ ମିଡିଆ ଉପରେ କଟକଣା ଜାରି କରିଥିଲେ।  ହେଲେ ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେବା ସହ ସରକାର ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଆସିବା ଏବେ ବାକି ଅଛି। ତେବେ ରାମ ଗୁଲାମଙ୍କ ପାର୍ଟି ଜିତୁଥିବାର ଏବେଠୁ ସ୍ପଷ୍ଟ ହୋଇଗଲାଣି। 

ନିର୍ବାଚନ ଫଳାଫଳକୁ ନେଇ ଜଗନ୍ନାଥ ଆମକୁ ଜନାଦେଶ ସ୍ୱୀକାର କରିବାକୁ ପଡିବ ବୋଲି କହିବା ସହ ଦେଶ ଓ ଜନତାଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ନିର୍ବାଚନ ଏକ ଐତିହାସିକ ବୁଝାମଣା ପରେ ହୋଇଥିଲା। ଏହି ବୁଝାମଣା ଅନୁସାରେ ବ୍ରିଟେନ ଚାଗୋସ୍ ଦ୍ୱୀପ ସମୂହର ସାର୍ବଭୌମତ୍ୱ ମରିସସକୁ ଅର୍ପଣ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.