ନୂଆଦିଲ୍ଲୀ ୨୬।୦୨: ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ମେଥ୍ୟୁ ହେଡେନ ଭାରତୀୟ କ୍ରିକେଟ୍ ଦଳର ଖୁବ୍ ପ୍ରଶଂସା କରିଛନ୍ତି। ହେଡେନ କହିଛନ୍ତି, ଭାରତୀୟ ଦଳ ପାଖରେ ଯେ କୌଣସି ପରିସ୍ଥିତିରେ ଜିତିବାର ଦମ୍ ରହିଛି। ଦଳ ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଦମଦାର ପ୍ରଦର୍ଶନ କରି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍କୁ ୨-୧ରେ ଜିତି ଥିଲା। ଦଳ ଏହି ଗସ୍ତରେ ୪୨ ବର୍ଷ ପରେ କଙ୍ଗାରୁକୁ ଗାବା ମଇଦାନରେ ପରାଜୟର ସ୍ଵାଦ ଚଖାଇଥିଲା। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଦଳର ନେତୃତ୍ଵ ନେଇଥିଲେ।
ହେଡେନ ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତରେ କହିଛନ୍ତି ଭାରତ ଏହା ଦେଖାଇ ଦେଇଛି ଯେ, ସେ ଏମିତି ଏକ ଦଳ ଯିଏ ସବୁ ପ୍ରକାରର ମୁସ୍କିଲ ପରିସ୍ଥିତିରେ ଜିତିବା ଜାଣିଛି। ନିଜ ମାଟିରେ ବି ଏବଂ ବିଦେଶ ମାଟିରେ ବି। ଚେନ୍ନାଇ ଓ ଅହମ୍ମଦାବାଦ ଓ୍ଵିକେଟ୍କୁ ନେଇ ହେଉଥିବା ଆଲୋଚନା ଉପରେ ହେଡେନ କହିଛନ୍ତି, ଓ୍ଵିକେଟ୍ ଖରାପ ନଥିଲା। ମୋତେ ଏମିତିରେ କୌଣସି ଅସୁବିଧା ନାହିଁ। ପରିସ୍ଥିତି ଏମିତି ହେବା ଉଚିତ୍ ଯେ, ମୁକାବିଲା ବରାବର ଏବଂ ପ୍ରତିଦ୍ଵନ୍ଦ୍ଵିତାମୂଳକ ହେବ। ନିଜ ମାଟିରେ ଏବଂ ବିଦେଶରେ ମଧ୍ୟ ଦଳକୁ ପରିସ୍ଥିତି ଅନୁକୂଳ ବିଶେଷଜ୍ଞ ରଖିବା ଉଚିତ୍। ନୂଆ କ୍ରିକେଟ୍, ନୂଆ ଫର୍ମାଟ୍, ଅଲଗା ପରିସ୍ଥିତି ଓ ଅନେକ ସମ୍ବଳକୁ ଦୃଷ୍ଟିରେ ରଖି ଦଳଗୁଡିକୁ ସବୁ ସ୍ଥିତି ଅନୁଯାୟୀ ନିଜ ଦଳକୁ ମଜବୁତ କରିବା ଉଚିତ୍।
ଅଷ୍ଟ୍ରେଲିଆ ପାଇଁ ୧୦୩ ଟେଷ୍ଟରେ ୮୬୨୫ ରନ କରିଥିବା ହେଡେନ ରବି ଚନ୍ଦ୍ରନ ଅଶ୍ଵିନ ଓ ଅକ୍ଷର ପଟେଲଙ୍କ ମୁକାବିଲା କରିବାରେ ବିଫଳ ହୋଇଥିବା ଇଂଲଣ୍ଡର ବ୍ୟାଟସମ୍ୟାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ଅହମ୍ମଦାବାଦର ପିଚ୍ ଅଧିକ ଟର୍ଣ୍ଣ ନିଏ ନାହିଁ। ମୁଁ ଏମିତି ପିଚ୍ରେ ଯଥା ସମ୍ଭବ ସ୍ଵିପ୍ ସଟ୍ ଖେଳିବାକୁ ପ୍ରୟାସ କରିଥାନ୍ତି। ଇଂଲଣ୍ଡର ବ୍ୟାଟସମ୍ୟାନଙ୍କୁ ପରିସ୍ଥିତି ଅନୁରୂପ ସ୍ପିନରଙ୍କୁ ଖେଳିବା ଉଚିତ୍। ବଲ୍ ଟର୍ଣ୍ଣ ନ ନେଉଥିଲେ କ୍ରସ୍ ବ୍ୟାଟ୍ ସଟ୍ ଖେଳିବା ବିପଦଜ୍ଜନକ ହୋଇଥାଏ। ଏଥିରେ ଏଲବିଡବ୍ଲ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ। ଇଂଲଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ଓ ଦ୍ଵିତୀୟ ଇନିଂସରେ ୮୧ ରନରେ ଅଲଆଉଟ୍ ହୋଇଥିଲା।