ପୁରୀ ୧୫।୦୮: ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା । ପ୍ରମେୟ, ନ୍ୟୁଜ ୭ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା A-1 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି।
ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭା କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଉପଜିଲ୍ଲାପାଳ ଭବତାରଣ ସାହୁ, ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡଃ ଦିଲ୍ଲିପ କୁମାର ସ୍ଵାଇଁ ଯୋଗ ଦେଇଥିଲେ। ପୁରୀ ସହର, ସଦର ଓ ବ୍ରହ୍ମଗିରି ବ୍ଲକର ମୋଟ ୧୫୧ ଜଣ ଏ-୧ ଛାତ୍ରଛାତ୍ରୀଙ୍କୁ ପଦକ ଓ ସାର୍ଟିଫିକେଟ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଛନ୍ତି।
ତେବେ ସଫଳତା ଏକ ଲକ୍ଷ୍ୟ ନୁହେଁ। ଏହା ଏକ ଜୟଯାତ୍ରା। ସ୍ଵପ୍ନ ସମସ୍ତେ ଦେଖନ୍ତି। କିନ୍ତୁ ସ୍ଵପ୍ନ ପଛରେ ଧାଇଁ ଏହାକୁ ସାକାର କରିବାକୁ ଦୃଢ଼ ଇଚ୍ଛାଶକ୍ତି ଦରକାର। ତେଣୁ ଗୋଟିଏ ସଫଳତାରେ ଅଟକି ନଯାଇ ଏହାକୁ ଅଭ୍ୟାସରେ ପରିଣତ କରିବା ଉଚିତ୍ ବୋଲି ଅତିଥିମାନେ ନିଜ ଉଦବୋଧନରେ କହିଛନ୍ତି।