କଳାହାଣ୍ଡିରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ! ବୋର୍ଡ ମନାକଲା, ମନ୍ତ୍ରୀ କହିଲେ ସତ ହୋଇଥିଲେ ହେବ ଆକ୍ସନ

Published By : Prameya-News7 Bureau | February 19, 2020 IST

କଳାହାଣ୍ଡି ୧୯।୨: ପୁଣି ଭାଇରାଲ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର । ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ତେବେ ମାଟ୍ରିକ୍ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏବର୍ଷ ପୁଣି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ପରୀକ୍ଷା ଚାଲିଥିବା ବେଳେ ମୋବାଇଲରୁ ମୋବାଇଲକୁ ଘୂରିବୁଲିଥିବା ପ୍ରଶ୍ନପତ୍ର । ତେବେ କେଉଁ ପରୀକ୍ଷା କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ଯଦିଓ ଏହାର ସତ୍ୟାସତ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ କିନ୍ତୁ ୫ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଯେ ଏହା ଏକ ପ୍ରକାର ଖେଳ ତାହା ହିଁ ଚର୍ଚ୍ଚା ହେଉଛି । ତେବେ ଗତବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରୀକ୍ଷା ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା । ହେଲେ ଏତେ ସୁରକ୍ଷା ଭିତରେ କିଭଳି ପ୍ରଶ୍ନପତ୍ର ଲିକ୍ ହୋଇପାରିଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପଟେ ପରୀକ୍ଷା ଚାଲିଥିବା ବେଳେ କ୍ୟାପିଟାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି ଯେ, ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ସେ କିଛି ଜାଣିନାହାନ୍ତି । ଘଟଣା ସଂପର୍କରେ ତଦନ୍ତ କରାଯିବ । ଯଦି ଘଟଣା ସତ ହୋଇଥାଏ ତେବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।   

ତେବେ ପ୍ରଶ୍ନପତ୍ର ଭାଇରାଲ ଭଳି କୌଣସି ଘଟଣା ଘଟିନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ପରୀକ୍ଷା ଶୃଙ୍ଖଳିତ ଢଙ୍ଗରେ ହୋଇଥିବା ବୋର୍ଡ ସଭାପତି ରାମାସିସ୍ ହାଜରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.