ମାଟ୍ରିକ ପରୀକ୍ଷା- ରାଜ୍ୟର କେତେକ ପରୀକ୍ଷା ସେଣ୍ଟରରେ ସିସିଟିଭି ଭାଙ୍ଗିଲେ ଦୁର୍ବୃତ୍ତ
23/02/2020 at 8:43 PM

ଭୁବନେଶ୍ୱର ୨୩।୦୨- ରାଜ୍ୟରେ ଏବେ ଚାଲିଛି ମାଟ୍ରିକ୍ ପରୀକ୍ଷା । ମାତୃଭାଷା ଓ ଇଂରାଜୀ ପେପରରେ ପରୀକ୍ଷା ଦେଇ ସାରିଲେଣି ଛାତ୍ରଛାତ୍ରୀ। ଆସନ୍ତାକାଲି ତୃତୀୟ ପେପର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ମାଟ୍ରିକ୍ ପରୀକ୍ଷାରୁ ସଂପୃର୍ଣ୍ଣ ଦୋଷ ତ୍ରୁଟି ଶେଷ କରିବାକୁ ସରକାର ଯେତେଥର ହଲପ ନେଉଛନ୍ତି ସେତେ ସେତେ ନୂଆନୂଆ ବିଶୃଙ୍ଖଳା ସାମନାକୁ ଆସିଛି । ମାଳମାଳ ନକଲି ପରୀକ୍ଷାର୍ଥୀ ଧରା ପଡିବା ସହ କେଉଁଠି ପାଚେରି ଡେଇଁ ଖୁଲମଖୁଲା ଛାତ୍ରଛାତ୍ରୀଙ୍କୁ କପି ଦେଉଛନ୍ତି ଅଭିଭାବକ ଓ ଅସାମାଜିକ ଯୁବକ । ଆଉ ଅନେକ ସେଣ୍ଟରରେ ମଧ୍ୟ ସିସିଟିଭି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

ମାଟ୍ରିକ୍ ପରୀକ୍ଷାର ଦୁଇଟି ପେପର ପରୀକ୍ଷା ସରୁସରୁ ଆସିଛି ମାଳମାଳ ଅଭିଯୋଗ । ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାର ଆହ୍ନାନ ଦେଇଥିବା ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନୂଆ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସୁଛି । ମାତୃଭାଷା ଓ ଇଂରାଜୀ ଭାଷାରେ ପରୀକ୍ଷା ବେଳେ କପି କରି ମାଲପ୍ରାକ୍ଟିସ ହୋଇଛନ୍ତି ୧୧୦ଜଣ । ୧୫ରୁ ଉର୍ଦ୍ଧ୍ବ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛନ୍ତି ସ୍ପେସାଲ ସ୍କାର୍ଡ ଟିମ୍ । ଆଉ ଇଂରାଜୀ ପରୀକ୍ଷା ଦିନ ଢେଙ୍ଗାନାଳ କଙ୍କଡାହାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଭୟ ଅଭିଭାବକ ଓ ଅସାମାଜିକ ଯୁବକ ସ୍କୁଲ ପାଚିରୀ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ଘଟଣା ଚଳିତ ପରୀକ୍ଷାର ଶୃଙ୍ଖଳାକୁ ନେଇ ପ୍ରଶ୍ନ ଠିଆକରିଛି । ଏହାସହ ରାଜ୍ୟର କେତେକ ପରୀକ୍ଷା ସେଣ୍ଟରରେ ସିସିଟିଭି ଗୁଡିକ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଥିବା ଭଳି ଅଭିଯୋଗ ମାନ ଆସିଛି । ସେପଟେ ବିଶୃଙ୍ଖଳା ଆଚରଣ କିମ୍ବା ପରୀକ୍ଷାରେ ଅସାଧୁ କାର୍ଯ୍ୟରେ ଲିପ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଟାନ ନିଆଯିବା ବୋଲି ଗଣଶିକ୍ଷାମନ୍ତ୍ରୀଙ୍କ କଡା ତାଗିଦ ସତ୍ବେ ଏସବୁ ବିଶୃଙ୍ଖଳା କମିବାର ନା ନେଉନି ….
ତେବେ ବାରମ୍ବାର ପରୀକ୍ଷାରେ ଏଭଳି ବିଭିନ୍ନି ବିଶୃଙ୍ଖଳିତ କାର୍ଯ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି । ଏଭଳି ଭିନ୍ନ ଭିନ୍ନ ବିଶୃଙ୍ଖଳା ସେମାନଙ୍କ ଏକାଗ୍ରତା ନଷ୍ଟ କରିବା ସହ ପରୀକ୍ଷା ଦେବାରେ ବିଭ୍ରାଟ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ୍ଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି ।
ସେପଟେ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ଟ୍ରାଫିକ୍ ସମସ୍ୟା ଯୋଗୁଁ କେନ୍ଦୁଝର ଆନନ୍ଦପୁର କୁଣ୍ଡୁଳେଇ ହାଇସ୍କୁଲର ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚିଥି ଭଳି ସମସ୍ୟା ମଧ୍ୟ ଉପୁଜିଛି । ଏହି ରୁଟ୍ରେ ମାତ୍ରାଧିକ ଲୁହାପଥର ବୋଝେଇ ଟ୍ରକ୍ ଚଳାଚଳ ଯୋଗୁଁ ଏପରି ସମସ୍ୟା ଉପୁଜିଥିଲା ।