ନିଶାସକ୍ତ ଅବସ୍ଥାରେ ଡାକ୍ତର କରୁଛନ୍ତି ରୋଗୀ ସେବା, ଇଞ୍ଜେକସନ ଭରୁଛନ୍ତି ସିକ୍ୟୁରିଟି ଗାର୍ଡ !
24/04/2023 at 11:49 AM

ଉଦଳା ୨୪।୪: ନିଶାରେ ଚୁର ଡାକ୍ତର କରୁଛନ୍ତି ରୋଗୀ ସେବା । ମୟୁରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ସୁଜିତ କୁମାର ଟୁଡୁଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ନିଜେ ଚେୟାରରେ ଭଲ ଭାବରେ ବସି ପାରୁନାହାନ୍ତି ଡାକ୍ତର । ଇଞ୍ଜେକସନ ଭରୁଛନ୍ତି ସିକ୍ୟୁରିଟି ଗାର୍ଡ । ଡାକ୍ତର ବାବୁ ନିଶାରେ ଚୁର ହୋଇ ଡାକ୍ତରଖାନାରେ ଡ୍ୟୁଟି କରୁଛନ୍ତି । ଏହି ଭିଡିଓରୁ ଏକଥା ସ୍ପଷ୍ଟ ଜଣାପଡୁଛି ।
ଡାକ୍ତର ସୁଜିତ ଟୁଡୁ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି । ଆଉଟ ଡୋର ଡ୍ୟୁଟି ସମୟରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ରହିଥାନ୍ତି । ଆଗରୁ ମଧ୍ୟ ଅନେକ ଥର ନିଶାସକ୍ତ ହୋଇ ଡାକ୍ତର ଜଣଙ୍କ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ରହିଛି । ସ୍ଥାନୀୟ ଲୋକେ ଏନେଇ ବାରମ୍ବାର ସିଡିଏମଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି । ଶୀଘ୍ର ଉଦଳା ଡାକ୍ତରଖାନରୁ ବଦଳି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।