<strong>ତୁର୍କୀ ଓ ସିରିଆ ଭଳି ଭାରତରେ ବି ହୋଇପାରେ ଶକ୍ତିଶାଳୀ ଭୂମିକମ୍ପ: ଡେଞ୍ଜର ଜୋନ୍‌ରେ ଏହିସବୁ ଅଞ୍ଚଳ</strong>

Published By : Prameya-News7 Bureau | February 11, 2023 IST

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଦୁଇ ଦେଶକୁ ଛାର୍‌ଖାର୍ କରିଦେଇଛି। ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୫ ହଜାର ପାର୍ ହୋଇଛି। ସିରିଆରେ ପାଖାପାଖି ୫୦ ଲକ୍ଷ ଲୋକ ବାସହୀନ ହେବେ ବୋଲି ଜାତିସଂଘ ଆକଳନ କରିଛି। ଏହାକୁ ଶତାବ୍ଦୀର ସବୁଠାରୁ ବଡ଼ ଭୂମିକମ୍ପ ବୋଲି ତୁର୍କୀ ସରକାର କହିଛନ୍ତି।

ଭାରତ ଉପରେ ବି ଏମିତି ଏକ ଭୟଙ୍କର ବିପଦର ଆଶଙ୍କା ରହିଛି। ଏନେଇ ଚେତାବନୀ ଦେଇଛନ୍ତି ଆଇଆଇଟି କାନପୁରର ଭୂ-ବିଜ୍ଞାନ ପ୍ରଫେସର ଜାଭେଦ ମଲ୍ଲିକ୍। ତୁର୍କି ଓ ସିରିଆ ଭଳି ଭାରତ ମଧ୍ୟ ଭୟଙ୍କର ଭୂମିକମ୍ପର ସାମ୍ନା କରିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଅତୀତରେ ଭାରତରେ ହୋଇଥିବା ଭୂମିକମ୍ପ ନେଇ ଦୀର୍ଘଦିନ ଧରି ଗବେଷଣା କରିଆସୁଛନ୍ତି ଆଇଆଇଟିର ଭୂ-ବିଜ୍ଞାନ ପ୍ରଫେସର ଜାଭେଦ ମଲ୍ଲିକ୍। ଏ ଦିଗରେ ତାଙ୍କର ଗଭୀର ଜ୍ଞାନ ରହିଛି। ଶ୍ରୀ ମଲ୍ଲିକଙ୍କ ସୂଚନା ଅନୁସାରେ, ଖୁବ୍‌ଶୀଘ୍ର ଭାରତର କିଛି ଅଞ୍ଚଳେ ୭.୫ ତୀବ୍ରତାର ଭୂମିକମ୍ପ ହେବ। ଏସବୁ ଅଞ୍ଚଳ ତୁର୍କୀ ଓ ସିରିଆ ଭଳି ପରିସ୍ଥିତି ହେବ ବୋଲି ମିଲ୍ଲିକ କହିଛନ୍ତି।  

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ମଲ୍ଲିକ କହିଛନ୍ତି " ହିମାଳୟ ପାହାଡ଼ ଗର୍ଭରେ କିମ୍ବା ଆଣ୍ଡାମାନେ ନିକୋବାର ଦ୍ୱୀପପୁଞ୍ଜର ଗହ୍ୱରରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ହୋଇପାରେ। ତେଣୁ ସତର୍କ ରହିବା ଖୁବ୍ ଆବଶ୍ୟକ। ଭୟଙ୍କର ଭୂମିକମ୍ପକୁ ଆଖି ଆଗରେ ରଖି ସବୁ ସ୍ତରରେ ସତର୍କତା ଅବଲମ୍ବନ କରାଯିବା ଉଚିତ୍।"

ପ୍ରଫେସର ମଲ୍ଲିକ ଦୀର୍ଘଦିନ ଧରି ଭାରତର ଭୂମିକମ୍ପପ୍ରବଣ ସ୍ଥାନଗୁଡ଼ିକ ଉପରେ ଅଧ୍ୟୟନ କରିଆସୁଛନ୍ତି। ଭାରତର କଛ, ଆଣ୍ଡାମାନ, ଉତ୍ତରାଖଣ୍ଡରେ ସେ ତାଙ୍କର ଗବେଷଣା ଜାରି ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଭୂମିକମ୍ପ ବିପଦରେ ଭାରତକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ଜୋନ୍‌-୫ ସର୍ବାଧିକ ବିପଦପ୍ରବଣ ଘେରରେ ରହିଛି ।

ଜୋନ୍-୫ରେ ଗୁଜରାଟର କଛ, ଆଣ୍ଡାମାନ ଓ ନିକୋବାର ଏବଂ ହିମାଳୟ ଅଞ୍ଚଳ ରହିଛି। ସେହିପରି ଜୋନ-୪ରେ ଉତ୍ତର ଭାରତର ହିମାଳୟଅଞ୍ଚଳ ତେରାଇ,ଉତ୍ତର ପ୍ରଦେଶର ବହରାଇଚ୍, ଲଖିମପରୁ, ପିଲିଭିତ, ଗାଜିଆବାଦ, ରୋର୍‌କୀ, ନୈନିତାଲ ରହିଛି। ଜୋନ୍‌-୩ରେ କାନପୁର,  ଲକ୍ଷ୍ନୌ, ପ୍ରୟାଗରାଜ, ବାରଣସୀ, ସୋନଭଦ୍ର ଇତ୍ୟାଦି ରହିଛି।

ତେବେ ଭାରତର ଏହିସବୁ ଅଞ୍ଚଳରେ କାହିଁକି ଭୂମିକମ୍ପ ହେବ ବୋଲି ପ୍ରଶ୍ନ କରିବାରୁ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏହିସବୁ ଅଞ୍ଚଳରେ ଟେକ୍‌ଟନିକ ପ୍ଲେଟ୍‌ ପରସ୍ପର ସହ ଧକ୍କା ହେବ। ଏଥିପାଇଁ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହେବ। ତେଣୁ ଏବେଠୁ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ମଲ୍ଲିକ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.