ଜାମ୍ମୁ-କାଶ୍ମୀର ଜଙ୍ଗଲରେ ଲାଗିଲା ଭୀଷଣ ନିଆଁ, ଏଲଓସିରେ ଫାଟୁଛି ବାରୁଦ ସୁଡଙ୍ଗ
18/05/2022 at 9:47 PM

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଜଙ୍ଗଲରେ ଲାଗିଛି ଭୀଷଣ ନିଆଁ। ଫଳରେ ପୁଞ୍ଝ ଜିଲ୍ଲାରେ ନିୟନ୍ତ୍ରଣ ରେଖା ସଂଲଗ୍ନ ଅନେକ ବାରୁଦ ସୁଡଙ୍ଗରେ ବିସ୍ଫୋରଣ ଘଟିଛି। ବୁଧବାର ଅଧିକାରୀ ଏହାର ସୂଚନା ଦେଇଛନ୍ତି। ସୋମବାର ନିୟନ୍ତ୍ରଣ ରେଖାର ଅନ୍ୟ ପାର୍ଶ୍ଵରେ ଜଙ୍ଗଲରେ ଲାଗିଥିବା ନିଆଁ ବ୍ୟାପି ଭାରତୀୟ ସୀମାରେ ମେଣ୍ଢର ସେକ୍ଟର ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ନିଆଁ ଯୋଗୁଁ ଅନୁପ୍ରବେଶକାରୀଙ୍କ ଉଦ୍ୟମ ପଣ୍ଡ ପାଇଁ ବିଛା ଯାଇଥିବା ପ୍ରାୟ ଛଅ ବାରୁଦ ସୁଡଙ୍ଗରେ ବିସ୍ଫୋରଣ ଘଟିଛି।
ବନ ରକ୍ଷକ କନାର ହୁସୈନ ଶାହ କହିଛନ୍ତି ଗତ ତିନି ଦିନ ଧରି ଜଙ୍ଗଲରେ ନିଆଁ ଲାଗିଛି। ସେନା ସହିତ ମିଶି ନିଆଁକୁ ନିୟନ୍ତ୍ରଣ କରାଯାଉଛି। କିଛି ମାତ୍ରାରେ ନିଆଁକୁ କାବୁ କରାଯାଇଥିଲା ହେଲେ ଆଜି ସକାଳେ ଦରମଶାଲ ଅଞ୍ଚଳରେ ନିଆଁ ଲାଗିଛି। ଜୋରରେ ପବନ ବହିବା କାରଣରୁ ନିଆଁ ଚାରିଆଡେ ବ୍ୟାପି ଯାଇଛି। ଏହା ଆଖପାଖ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି।
ଶାହ କହିଛନ୍ତି, ସୀମାବର୍ତ୍ତୀ ଗାଁ ନିକଟକୁ ପହଞ୍ଚିଥିବା ନିଆଁକୁ ସେନା ଆୟତ୍ତ କରି ନେଇଛନ୍ତି। ରାଜୋରି ଜିଲ୍ଲା ସୀମା ନିକଟସ୍ଥ ସୁନ୍ଦରବନୀ ଅଞ୍ଚଳରେ ଭୀଷଣ ନିଆଁ ଲାଗିଛି, ଯାହା ଅନ୍ୟ ଅଞ୍ଚଳକୁ ବ୍ୟାପିଛି। ଏପରିକି ବାଲାକୋଟର କଲାର, ରଣଥଲ, ଚିଙ୍ଗି ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ଏଥିରେ ମୃତାହତର କୌଣସି ଖବର ନାହିଁ।