୨୦ ବର୍ଷ ପରେ ଭାଷଣ ଦେଇଛି ଜୈସ ଆତଙ୍କବାଦୀ ଅଜହର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଓକାରିଲା ଗରଳ

Published By : Prameya-News7 Bureau | December 04, 2024 IST

ନୂଆଦିଲ୍ଲୀ ୪।୧୨:   ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ଏକ ସଭାକୁ ସମ୍ବୋଧିତ କରିଛି। ଏହି ଭାଷଣରେ ମାସୁଦ ଭାରତ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗରଳ ଓକାରିଛି ଏବଂ ଦୁଇ ଦେଶଙ୍କ ବିରୋଧରେ ନୂଆ କରି ଜିହାଦୀ ଅଭିଯାନ ଚଳାଇବାକୁ ସଂକଳ୍ପ କରିଛି। ତେବେ ମାସୁଦ କେବେ ଓ କେଉଁଠି ଏହି ଭାଷଣ ଦେଇଛି ସେ ନେଇ ଜୈସ କିଛି କହି ନାହିଁ। ତେବେ ଆତଙ୍କବାଦୀର ସାର୍ବଜନିକ ଭିଡିଓ ସାମ୍ନାକୁ ଆସିବା ପରେ ଆତଙ୍କବାଦକୁ ନେଇ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି। 

ଜୈସ-ଏ-ମହମ୍ମଦ ନିଜ କଥାକୁ ସାରା ବିଶ୍ୱକୁ ପହଞ୍ଚାଇବା ଲାଗି ଡିଜିଟାଲ ପ୍ଲାଟଫର୍ମ ବି ଚଳାଉଛି, ଯେଉଁଥିରେ ମାସୁଦର ଏହି ଭିଡିଓ ସେୟାର କରାଯାଇଛି। ରିପୋର୍ଟ ଅନୁସାରେ ସମୟସମୟରେ ମାସୁଦ ଓ ଅନ୍ୟ ଆତଙ୍କବାଦୀଙ୍କ ପୁରୁଣା ଭିଡିଓ ପୋଷ୍ଟ କରାଯାଉଛି। ତେବେ ମାସୁଦ ଭାଷଣରେ ଇସ୍ରାଏଲ ଓ ଗାଜା ନାମ ନେଇଥିବାରୁ ଏଥରର ଭିଡିଓ ନୂଆ ବୋଲି ଅନୁମାନ କରାଯାଉଛି। ଭାରତୀୟ ଇଣ୍ଟେଲିଜେନ୍ସ ଅଫିସର ଏହି ଭାଷଣ ସମ୍ଭବତଃ ଗତ ମାସ ଶେଷରେ ପାକିସ୍ତାନର ବାହବଲପୁର ବାହାରେ ଉମ୍ମ-ଉଲ-କୁରା ମଦରସା ଓ ମସଜିଦ ପ୍ରାଙ୍ଗଣରେ ଦେଇଥିବାର ଆକଳନ କରିଛନ୍ତି। 

ଭାଷଣରେ ଅଜହର ଲୋକଙ୍କୁ ଆତଙ୍କବାଦ ସଙ୍ଗଠନରେ ସାମିଲ ହେବାକୁ ମଧ୍ୟ ଅପିଲ କରିଛି। ମାସୁଦ ସମୟ ସମୟରେ ଭାରତ ତୁମର ମୃତ୍ୟୁଆସୁଛି ସ୍ଲୋଗାନ ମଧ୍ୟ ଦେଇଥାଏ। ୨୦୧୯ରେ ପାକିସ୍ତାନୀ କର୍ତ୍ତୃପକ୍ଷ ଉମ୍ମ-ଉଲ-କୁରା ମଦରସା ଓ ମସଜିଦକୁ ନିଜ ହାତକୁ ନେଇଥିବାର ଦାବି କରିଥିଲେ। ଏବି ଏହି ଭିଡିଓରୁ ସରକାରଙ୍କ ଦାବିର ସତ୍ୟତା ମଧ୍ୟ ଜଣାପଡିଯାଇଛି। ଆତଙ୍କବାଦୀ ଅଜହର ଭାଷଣରେ ଭାରତ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖ କରିଛି। କହିଛି ମୋଦିଙ୍କ ଭଳି ଜଣେ ଦୁର୍ବଳ ବ୍ୟକ୍ତି ଆମକୁ ଚ୍ୟାଲେଞ୍ଜ କରିବା ଓ ନେତନ୍ୟାହୁ ଭଳି ଜଣେ ମୁଷା ଆମ କବର ଉପରେ ନାଚିବା ବାସ୍ତବିକ ଆମଲାଗି ଲଜ୍ଜାଜନକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.