ମାରୁତିର ଏହି କାର୍‌ରେ ତ୍ରୁଟି, ବଜାରରୁ ଫେରାଇବାକୁ କମ୍ପାନୀର ନିଷ୍ପତ୍ତି...  

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଳୀ, ୬/୧୨: ଭାରତୀୟ ବଜାରରୁ ୯,୧୨୫ ୟୁନିଟ୍ ଫେରାଇବ ମାରୁତି ସୁଜୁକୀ।ଦେଶର ପ୍ରମୁଖ କାର୍ କମ୍ପାନୀ ମାରୁତି ସୁଜୁକୀ ଇଣ୍ଡିଆ ଏହାର ଫ୍ରଣ୍ଟ ସିଟ୍ ବେଲ୍ଟରେ ସମ୍ଭାବିତ ତ୍ରୁଟି ପାଇଁ ବଜାରରୁ ଏହି କାର୍ ପତ୍ୟାହାର କରିବାକୁ ଯାଉଛି। ତ୍ରୁଟି ରହିଥିବା ଏହି ସବୁ ମଡେଲ ଭିତରେ ସିୟାଜ୍, ବ୍ରେଜା, ଏର୍ଟିଗା, ଏକ୍ସଏଲ-୬ ଏବଂ ଗ୍ରାଣ୍ଡ୍ ଭିତାରା ରହିଛି। ଶେୟାର ବଜାରକୁ ଦେଇଥିବା ସୂଚନା ଅନୁଯାୟୀ, ପ୍ରଭାବିତ କାର୍‌ଗୁଡ଼ିକ ୨ ରୁ ୨୮ ନଭେମ୍ବର ୨୦୨୨ ମଧ୍ୟରେ ତିଆରି ହୋଇଥିଲା।

କମ୍ପାନୀ ତରଫରୁ କୁହାଯାଇଛି ଏହିସବୁ ମଡେଲର ଫ୍ରଣ୍ଟ ସିଟ୍ ବେଲ୍ଟରେ କିଛି ଅସୁବିଧା ଥିବା ଜଣାପଡ଼ିଛି। ଏହା ଦ୍ବାରା ସିଟ୍ ବେଲ୍ଟ ଖୋଲିପାରେ। କମ୍ପାନୀ କହିଛି ଯେ ପ୍ରଭାବିତ ବାହନ ଗୁଡ଼ିକ ଯାଞ୍ଚ କରାଯିବ ଏବଂ ଖରାପ ସିଟ୍ ବେଲ୍ଟକୁ ନିଃଶୁଳ୍କ ବଦଳାଯିବ। କମ୍ପାନୀ ଖୁବ୍‌ଶୀଘ୍ର ଡିଲରସିପ୍ ଏବଂ ଗ୍ରାହକଙ୍କୁ ଯୋଗାଯୋଗ କରିବ।

ସୂଚନାଥାଉ, ମାରୁତି ସୁଜୁକିର କାର୍ ନୂଆ ବର୍ଷରୁ ମହଙ୍ଗା ହୋଇଯିବ। କମ୍ପାନୀ ତରଫରୁ କୁହାଯାଇଛି ଯେ ମୁଦ୍ରାସ୍ଫୀତି ଫଳରେ କମ୍ପାନୀ ଉପରେ ଖର୍ଚ୍ଚ ଚାପ ବଢ଼ିଛି। କମ୍ପାନୀ ତରଫରୁ ଚାପ କମ୍ କରିବା ପାଇଁ ମଧ୍ୟ ଅନେକ ଚେଷ୍ଟା କରିଛି। କିନ୍ତୁ ଏବେ ଦରବୃଦ୍ଧି ଜରୁରୀ ହୋଇପଡ଼ିଛି। ଏହା ସବୁ ମଡେଲ ଉପରେ ଭିନ୍ନ ଭିନ୍ନ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.