କୁମ୍ଭ ରାଶିରେ ମଙ୍ଗଳ ଗ୍ରହଙ୍କ ପ୍ରବେଶ ଦେବ କରୋନାରୁ ମୁକ୍ତି : ଚୀନ ଏବଂ ଆମେରିକା ମଧ୍ୟରେ ବଢ଼ିବ ତିକ୍ତତା, ଜାଣନ୍ତୁ ଅନ୍ୟ ରାଶି ଉପରେ ପଡ଼ିବ କିଭଳି ପ୍ରଭାବ

Published By : Prameya-News7 Bureau | May 05, 2020 IST

ମେଦିନୀ ଜ୍ୟୋତିଷରେ ମଙ୍ଗଳର ଗୋଚର ତୀବ୍ରତାରୁ ଘଟଣାକ୍ରମ ବଦଳୁଥିବା କୁହାଯାଇଥାଏ। ମେ ୪ତାରିଖରେ ମଙ୍ଗଳ ମକର ରାଶି ଛାଡ଼ି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି ଏବଂ ଏଠାରେ ଜୁନ୍ ୧୮ତାରିଖ ଯାଏଁ ରହିବେ। ମଙ୍ଗଳର ମକର ରାଶି ଗୋଚର କରୁଥିବା ବଡ଼ ଗ୍ରହ ଗୁରୁ ଏବଂ ଶନିକୁ ଛାଡ଼ି କୁମ୍ଭ ରାଶିରେ ଯିବା କରୋନା ମହାମାରୀଠୁ ଆଶ୍ବସ୍ତିକର ହୋଇପାରିବ। ଏହି ମାସରେ ମହାଶକ୍ତି ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ ବଢ଼ିବ।

ମେ ୧୪ତାରିଖରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ସମୟରେ ଜାତକରେ ସୂର୍ଯ୍ୟଙ୍କ ଶୁଭ ଗ୍ରହ ବୁଧ ଏବଂ ଶୁକ୍ର ଯୁକ୍ତ ହୋଇ ମଙ୍ଗଳରେ ଦୃଷ୍ଟ ହେବା ଦକ୍ଷିଣ ଭାରତରେ ମୌସୁମୀ ବର୍ଷାର ଆଗମନ ଭଳି ଭଲ ସଙ୍କେତ ଦେବ। ଉତ୍ତର ଭାରତରେ ମଙ୍ଗଳ ଏବଂ ସୂର୍ଯ୍ୟଙ୍କ ଏହି ଗୋଚର ପ୍ରଭାବରେ ତାପମାତ୍ରା​‌ ମେ ୧୪ତାରିଖ ପରେ ଜୋରସୋରରେ ବଢ଼ିବ ଯାହାର ଫଳସ୍ବରୂପ ମହାମାରୀ କରୋନାଠୁ ଲୋକଙ୍କୁ ଆଶ୍ବସ୍ତି ମିଳିବ ଏବଂ ଅନେକ ସ୍ଥାନରେ ବ୍ୟାବସାୟିକ ଗତିବିଧି ବୃଦ୍ଧି ହେବ।

ପ୍ରାଚୀନ ଗ୍ରନ୍ଥ ବୃହତ୍ ସଂହିତା ଅନୁସାରେ ବୃଷ ସଂକ୍ରାନ୍ତିର ଜାତକ ଖରିଫ ଫସଲ ବିଷୟରେ ସଙ୍କେତ ଦେଉଛି। ବୃଷ ସଂକ୍ରାନ୍ତିରେ ସୂର୍ଯ୍ୟ ଆଦି ଗ୍ରହର ପରସ୍ପର ଅନୁକୂଳ ସ୍ଥିତି ଜୁନରୁ ନଭେମ୍ବର ମଧ୍ୟରେ ଆରମ୍ଭ ହେଉଥିବା ଖରିଫ ଫସଲ ବିଷୟରେ ଭବିଷ୍ୟତବାଣୀ କରିଥାଏ।

ସୂର୍ଯ୍ୟଙ୍କ ଶୁଭ ଗ୍ରହ ବୁଧ ଏବଂ ଶୁକ୍ର ସହ ଯୁକ୍ତ ହୋଇ ପଞ୍ଚମ ଦୃଷ୍ଟିରେ ପ୍ରଭାବିତ ହେବା ଫସଲର ଦାମ୍ ସ୍ଥିର ରହିବାର ସଙ୍କେତ ଦେଇଥାଏ। ବୃଷ ସଂକ୍ରାନ୍ତିର ଜାତକରେ ଚନ୍ଦ୍ରର ଶନି ଏବଂ ଗୁରୁ ସହ ଯୁକ୍ତ ହେବା ଏହାର ସଙ୍କେତ ଦେଇଥାଏ ଯେ ସରକାର ପେଟ୍ରୋଲ୍-ଡିଜେଲର ମୂଲ୍ୟ କମ୍ କରି ଏବଂ ଚାଷୀଙ୍କୁ ଆର୍ଥିକ ସହାୟତା ଦେଇ ଖାଦ୍ୟ ଉତ୍ପାଦନ ମୂଲ୍ୟ କମ୍ କରିବାର ପ୍ରୟାସ କରିବ।

ଶନି ଏବଂ ଗୁରୁଙ୍କ ଯୁକ୍ତ ହେବା କାରଣରୁ ଉଦ୍ୟୋଗ ଜଗତ ମାନ୍ଦା ରହିବ। ବୃଷ ସଂକ୍ରାନ୍ତିର ଜାତକରେ ସୂର୍ଯ୍ୟଙ୍କ ଉପରେ ୩ ଶୁଭ ଗ୍ରହ ଗୁରୁ,ବୁଧ ଏବଂ ଶୁକ୍ରର ପ୍ରଭାବ କାରଣରୁ ମୌସୁମୀ ଏବର୍ଷ ଠିକ୍ ସମୟରେ ଦେଶର ଅନେକ ଭାଗରେ ଆସିଯିବ ଏବଂ ଖରିଫ ଫସଲ ମଧ୍ୟ ଠିକ୍ ସମୟରେ ବୁଣା ଯିବ।

ରାଶି ଉପରେ ପ୍ରଭାବ :

ମେଷ : ମଙ୍ଗଳର ଏହି ଗୋଚର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ।

ବୃଷ : ଆତ୍ମବିଶ୍ବାସ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ବଢ଼ିବ। କିଛି ଲୋକ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିପାରନ୍ତି। ଆର୍ଥିକ ମାମଲା ସ୍ଥିର ରହିବ।

ମିଥୁନ : କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିବ। କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ସଜାଗ ରୁହନ୍ତୁ।

କର୍କଟ : ସୁସ୍ଥ ରହିବେ। ନିକଟସ୍ଥ ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ।

ସିଂହ : କାର୍ଯ୍ୟକ୍ଷେତ୍ର ମାମଲାରେ ଆଗାମୀ ୪୫ଦିନ ସାମାନ୍ୟ ଭାବେ ଅନୁକୂଳ ରହିବ କିନ୍ତୁ ପାରିବାରିକ ଜୀବନରେ ଛୋଟମୋଟ ବିବାଦ ଦେଖାଦେବ।

କନ୍ୟା :  ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇପାରନ୍ତି। କିନ୍ତୁ ଆପଣ ସମସ୍ତ କଠିନ ପରିସ୍ଥିତିରୁ ବାହାରି ଯାଇପାରିବେ। ବ୍ୟବସାୟ ଏବଂ ଚାକିରୀରେ ସ୍ଥିତି ସୁଧୁରିବ। ଆର୍ଥିକ କ୍ଷେତ୍ରରେ ସମୟ ଅନୁକୂଳ ରହିବ।

ତୁଳା : ମଙ୍ଗଳର ଏହି ଗୋଚର ଆପଣଙ୍କ ବଜେଟକୁ ସନ୍ତୁଳିତ କରିବ। ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ। ବୈବାହିକ ଜୀବନରେ ରୋମାନ୍ସ ହୋଇପାରେ। ୪୫ଦିନ ଯାଏଁ ସଂଯମ ରୁହନ୍ତୁ,ଚାକିରୀରେ ସ୍ଥିତି ବଦଳିବା ଯୋଗୁଁ ଚାକିରୀ ଛାଡ଼ିପାରନ୍ତି।

ବିଛା : କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଭଲ ହୋଇପାରେ। ସ୍ଥାୟୀ ସମ୍ପତ୍ତି ସହ ଜଡ଼ିତ କୌଣସି ନିଷ୍ପତ୍ତି ନେଇ ପାରନ୍ତି। ଧନ ଲାଭ ହୋଇପାରେ।

ଧନୁ : ଆପଣଙ୍କୁ ଅନୁକୂଳ ପରିଣାମ ମିଳିବ। ଶିକ୍ଷା କ୍ଷେତ୍ରରେ ପ୍ରଗତି ମିଳିବ। ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ସଂଯମ ରୁହନ୍ତୁ।

ମକର : ଏହା ଆପଣଙ୍କ ପାଇଁ ମିଶ୍ରିତ ରହିବ। ଚାକିରୀ-ବ୍ୟବସାୟରେ ସ୍ଥିତି ସାମାନ୍ୟ ରହିବ କିନ୍ତୁ ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ। ନିଜ କଥାବାର୍ତ୍ତାରେ ସଂଯମତା ରଖନ୍ତୁ ନଚେତ୍ ବିବାଦ ହୋଇପାରେ।

କୁମ୍ଭ : ଆପଣଙ୍କ ବୈବାହିକ ଏବଂ ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ। କଥାବାର୍ତ୍ତାରେ ସଂଯମତା ରଖନ୍ତୁ। ମାନସିକ ଅଶାନ୍ତି ଏବଂ କ୍ରୋଧ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ।

ମୀନ : ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଭାଇ ଭଉଣୀଙ୍କ ତରଫରୁ ଚିନ୍ତା ହୋଇପାରେ। ଆୟ-ବ୍ୟୟର ସ୍ଥିତି ଅନୁକୂଳ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.