ବାଲିପାଟଣା ୨୯/୦୭: ପ୍ରେମ ମାନେ ନା କିଛି । ଜାତି, ଆଭିଯାତ୍ୟ, ବୟସ ସବୁଠାରୁ ଦୂରରେ ପ୍ରେମ । ଏପରି କି ସାମାଜିକ ଲଜ୍ଜାକୁ ମଧ୍ୟ ଭୁଲି ଯାଆନ୍ତି ପ୍ରେମୀ ଯୁଗଳ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ । ନିଜ ୮ ବର୍ଷ ବୟସର ଝିଅକୁ ଛାଡ଼ି ଫେରାର୍ ହୋଇଯାଇଛି ଜଣେ ବିବାହିତ ମହିଳା ।
ସ୍ଵାମୀ ଏବଂ ପରିବାର ଲୋକ ମହିଳାଙ୍କୁ ଫେରାଇ ଆଣିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ନିଜ ସହପାଠି ଥିବା ଯୁବକ ସହ ରହିବାକୁ ଜିଦ କରିଛନ୍ତି ମହିଳା । ଉଭୟଙ୍କ ପରିବାର ମହିଳାଙ୍କୁ ସ୍ଵାମୀ ନିକଟକୁ ଫେରିବାକୁ ବାଧ୍ୟ କରିବାରୁ ମହିଳା ଏବଂ ତାଙ୍କ ପ୍ରେମିକ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଲେ । ଏଭଳି ପରିସ୍ଥିତିରେ ବାଲିଅନ୍ତା ପୋଲିସ ଉଭୟ ପକ୍ଷଙ୍କୁ ବୁଝା ସୁଝା କରିଥିଲା ।
ଶେଷରେ ମହିଳା ଜଣକ ପ୍ରେମିକ ସହ ଫେରି ଯାଇଥିଲେ । ତେବେ ସେ ସମୟରେ ତାଙ୍କ ୮ ବର୍ଷର ଝିଅ ମାମା ଙ୍କୁ ଫେରାଇ ଆଣିବା ପାଇଁ ବାବାଙ୍କ ଆଗ ରେ ଜିଦ୍ ଧରି ଥିଲା । ସମାଧାନ ର ବାଟ ନ ଥିବାରୁ ସ୍ଵାମୀ ଜଣକ ୮ ବର୍ଷର ଝିଅକୁ ବୁଝା ସୁଝା କରି ଘରକୁ ଆଣିଥିଲେ । କହିବାକୁ ଗଲେ ୧୦ ବର୍ଷ ପୂର୍ବେ ମହିଳା ଜଣକ ବେଣ୍ଟପୁର ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ପରେ ଉଭୟଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା । ସାଂସାର ସୁଖରେ ଚାଲୁଥିଲା ।
ପ୍ରାୟ ୭-୮ ବର୍ଷ ପରେ ମହିଳାଙ୍କର ନିଜର ଜଣେ ସହ ପାଠି ଥିବା ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ନେଇ ଉଭୟ ପରିବାର ଆପତ୍ତି ଉଠାଇଥିଲେ । ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା ପରେ ଏହି ଘଟଣାର ପୂର୍ଣ୍ଣଛେଦ ପଡ଼ିଥିଲା । ମାତ୍ର ଏବେ ମହିଳା ଜଣକ ସେହି ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି ।