ନୂଆଦିଲ୍ଲୀ: ଆଇଟି ସେୟାରଗୁଡିକରେ ବଡ଼ ମାତ୍ରାରେ ବିକ୍ରି ଯୋଗୁଁ ଘରୋଇ ପୁଞ୍ଜିବଜାର ଧରାଶାୟୀ ହୋଇଛି । ସେନସେକ୍ସ ୧୧୯୦ ଅଙ୍କ ଖସି ବନ୍ଦ ହୋଇଛି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ଧମକ ଏବଂ ସୁଧ ହାର ହ୍ରାସ ନେଇ ଅନିଶ୍ଚିତା ଯୋଗୁଁ ନିବେଶକଙ୍କ ଆଶଂକା ସୃଷ୍ଟି ହୋଇଛି । ଆଜିର ଏହି ହ୍ରାସ ଯୋଗୁଁ ସେୟାର ବଜାର ନିବେଶକଙ୍କୁ ଆଜି ପ୍ରାୟ ୧.୦୮ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବ୍ରର୍ଡର ମାର୍କେଟ୍ରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ବିଏସ୍ଇର ମିଡ୍କ୍ୟାପ୍ ୦.୦୬ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି । ତେବେ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସରେ ୦.୪୧ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି । ଆଜିର କାରବାରରେ ଆଇଟି, ଅଟୋ ଏବଂ କଞ୍ଜୁମର ଡ୍ୟୁରେବଲ୍ ସେୟାରରେ ସବୁଠୁ ଅଧିକ ହ୍ରାସ ଘଟିଛି ।
କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୧୧୯୦.୩୪ ଅଙ୍କ ବା ୧.୪୮ ପ୍ରତିଶତ ହ୍ରାସ ପାଇଁ ୭୯,୦୪୩.୭୪ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୬୦.୭୫ ଅଙ୍କ ବା ୧.୪୯ ପ୍ରତିଶତ ଖସି ୨୩,୯୧୪.୧୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ ଗୁରୁବାର ହ୍ରାସ ପାଇ ୪୪୩.୪୦ ଲକ୍ଷ କୋଟି ଟଙ୍କା ହୋଇଛି । ଗୋଟିଏ ଦିନ ପୂର୍ବରୁ ବୁଧବାର ଏହା ୪୪୪.୪୮ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧.୦୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୧.୦୮ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ଆଜିର କାରବାରରେ ଲାର୍ଜ କ୍ୟାପ୍ ସେୟାରଗୁଡ଼ିକ ଅଧିକ ଚାପରେ ରହିଥିଲେ । ଏହା ଏତେ ଅଧିକ ଥିଲା ଯେ ସେନସେକ୍ସର ୩୦ରୁ ୨୯ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ଇନଫୋସିସ୍ ସେୟାରରେ ୩.୪୬ ପ୍ରତିଶତ ଥିଲା । ସେହିପରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଆଦାନୀ ପୋର୍ଟ୍ସ ଏବଂ ଏଚ୍ସିଏଲ୍ ଟେକ୍ ସେୟାରଗୁଡ଼ିକ ୨.୪୫% ପ୍ରତିଶତରୁ ୩.୩୬% ମଧ୍ୟରେ ହ୍ରାସ ଘଟିଛି ।