ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ହେଲେ ମାର୍କ ବାଉଚର, ଆଇପିଏଲ୍ ୨୦୨୩ରୁ ସମ୍ଭାଳିବେ ଦାୟିତ୍ଵ
16/09/2022 at 4:57 PM

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦଳ ଦକ୍ଷିଣ ଆଫ୍ରିକାର ପୂର୍ବତନ ବରିଷ୍ଠ ଓ୍ଵିକେଟ୍ କିପର ବ୍ୟାଟସମାନ ମାର୍କ ବାଉଚରଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ବାଉଚର ନିକଟରେ ଟି-୨୦ ବିଶ୍ଵ କପ୍ ପରେ ଦକ୍ଷିଣ ଆଫ୍ରିକା ଦଳର କୋଚ୍ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ବାଉଚର ମୋହେଲ ଜୟବର୍ଦ୍ଧନେଙ୍କ ସ୍ଥାନ ନେବେ। ଜୟବର୍ଦ୍ଧନେଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପଦୋନ୍ନତି ଦେଇ ନିଜର ଗ୍ଲୋବାଲ ହେଡ୍ ଅଫ ପରଫର୍ମାନ୍ସ ନିଯୁକ୍ତ କରିଛି।
ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ର ଦାୟିତ୍ଵ ମିଳିବା ପରେ ବାଉଚର କହିଛନ୍ତି, ଏମଆଇର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା। ଏକ ଫ୍ରାଞ୍ଚାଇଜି ହିସାବରେ ତାଙ୍କର ଇତିହାସ ଏବଂ ଉପଲବ୍ଧି ତାଙ୍କୁ ସ୍ପଷ୍ଟ ଭାବେ ବିଶ୍ଵର ସମସ୍ତ କ୍ରୀଡାରେ ସବୁଠୁ ସଫଳ ଫ୍ରାଞ୍ଚାଇଜି ଭାବେ ସ୍ଥାପିତ କରିଛି। ମୁଁ ଚ୍ୟାଲେଞ୍ଜ ପାଇଁ ତତ୍ପର ଏବଂ ଫଳାଫଳକୁ ସମ୍ମାନ କରେ। ଏହା ମହାନ ନେତୃତ୍ଵ ଏବଂ ଖେଳାଳିଙ୍କ ଏକ ମଜବୁତ ୟୁନିଟ୍। ମୁଁ ଏହି ଗତିଶୀଳ ୟୁନିଟ୍ ସହ ନିଜର ଯୋଗଦାନ ଦେବାକୁ ତତ୍ପର ବୋଲି ମାର୍କ ବାଉଚର କହିଛନ୍ତି।
Presenting आपले नवीन Head Coach – 𝐌𝐀𝐑𝐊 𝐁𝐎𝐔𝐂𝐇𝐄𝐑 💙
— Mumbai Indians (@mipaltan) September 16, 2022
Paltan, drop a 🙌 to welcome the 🇿🇦 legend to our #OneFamily 👏#DilKholKe #MumbaiIndians @markb46 @OfficialCSA pic.twitter.com/S6zarGJmNM
ଦଳର ମାଲିକ ଆକାଶ ଅମ୍ବାନୀ କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସରେ ମାର୍କ ବାଉଚରଙ୍କ ସ୍ଵାଗତ କରିବା ଖୁସିର ବିଷୟ। ମଇଦାନରେ ନିଜର ବିଶେଷଜ୍ଞତା ସହିତ ଜଣେ କୋଚ୍ ହିସାବରେ ନିଜ ଦଳ ଦକ୍ଷିଣ ଆଫ୍ରିକାର ଅନେକ ବିଜୟରେ ମାର୍ଗଦର୍ଶନ କରିବା ସହିତ ମାର୍କ ଏବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
ଦକ୍ଷିଣ ଆଫ୍ରିକାର କୋଚିଂ ସମୟରେ ବାଉଚରଙ୍କ ରେକର୍ଡ ଚମତ୍କାର ରହିଛି। ୨୦୧୯ରେ ସେ ନିଜ ଦେଶର କୋଚିଂ ଦାୟିତ୍ଵ ସମ୍ଭାଳିଥିଲେ। ତାଙ୍କ କୋଚିଂ ସମୟରେ ଦକ୍ଷିଣ ଆଫ୍ରିକା ୧୦ଟି ଟେଷ୍ଟ ଜିତିଛି। ଏଥିରେ ଚଳିତ ବର୍ଷ ଜାନୁଆରୀରେ ଭାରତ ବିପକ୍ଷରେ ୨-୧ରେ ଟେଷ୍ଟ ସିରିଜ୍ ବିଜୟ ସାମିଲ୍। ସଂପ୍ରତି ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ତାଲିକାରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ସ୍ଥାନରେ ରହିଛି। ସୀମିତ ଓଭରରେ ବାଉଚରଙ୍କ ପ୍ରଶିକ୍ଷଣରେ ଦଳ ଏ ପର୍ଯ୍ୟନ୍ତ ୧୨ଟି ଦିନିକିଆ ଏବଂ ୨୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିଛି।