ସମୁଦ୍ର ସୀମା ବିବାଦକୁ ନେଇ ଇସ୍ରାଏଲ ଓ ଲେବାନନ ମଧ୍ୟରେ ରାଜିନାମା, ୟେର ଲାପିଡ କହିଲେ ଐତିହାସିକ

Published By : Prameya-News7 Bureau | October 11, 2022 IST

ୟେରୁଜେଲମ ୧୧।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେର ଲାପିଡ୍ ମଙ୍ଗଳବାର ପଡୋଶୀ ଲେବାନନ ସହ ସମୁଦ୍ର ସୀମା ବିବାଦକୁ ନେଇ ଆମେରିକା ମଧ୍ୟସ୍ଥତାରେ ଐତିହାସିକ ବୁଝାମଣା ହୋଇଥିବା କହିଛନ୍ତି। ଦୀର୍ଘ ମାସର ଆଲୋଚନା ପରେ ଏହି ବୁଝାମଣା ହୋଇଥିବା ସେ କହିଛନ୍ତି। ସେ ଏହାକୁ ଏକ ବିରଳ ବୁଝାମଣା ବୋଲି କହିଛନ୍ତି। କାରଣ ଉଭୟ ଦେଶ ପରସ୍ପରର ଶତ୍ରୁ। ତଥାପି ବୁଝାମଣାରେ ଏବେବି କିଛି ବାଧା ରହିଛି। ଯାହାକ ଇସ୍ରାଏଲରେ ଆଇନତଃ ଚାଲେଞ୍ଜର ସମ୍ମୁଖୀନ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଲାପିଡ କହିଛନ୍ତି ଯେ ଏହି ବୁଝାମଣା ଇସ୍ରାଏଲର ସୁରକ୍ଷାକୁ ମଜଭୁତ କରିବ। ଏହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ଲାଭ ମିଳିବ।  ଏହା ଛଡା ଉତ୍ତର ସୀମାରେ ସ୍ଥାୟୀ ଶାନ୍ତି ସ୍ଥାପିତ ହୋଇପାରିବ। ୧୯୪୮ ମସିହାରେ ଇସ୍ରାଏଲ ଅସ୍ତିତ୍ୱକୁ ଆସିଥିଲା। ସେବେଠାରୁ ଉତ୍ତର ସୀମାରେ ଥିବା ସମୁଦ୍ରକୁ ନେଇ ଲେବାନନ ସହିତ ବିବାଦ ଲାଗି ରହିଥିଲା। ଉଭୟ ଦେଶ ଭୂ-ମଧ୍ୟ ସାଗରର ୮୬୦ ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ଦାବି କରିଆସୁଛନ୍ତି।

ସ୍ଥାନୀୟ ମିଡିଆ ଓ ଅଧିକାରୀଙ୍କ ଅନୁସାରେ ବରିଷ୍ଠ ଆମେରିକୀୟ ଶକ୍ତି କୂଟନୀତିଜ୍ଞ ଏମୋସ ହୋଚେଷ୍ଟିନ ସମୁଦ୍ର ସୀମା ବୁଝାମଣା ଲାଗି ସୋମବାର ରାତିରେ ଲେବାନନର ମୁଖ୍ୟ ବାର୍ତ୍ତାକାର ତଥା ଡେପୁଟି ସ୍ପିକର ଏଲିୟାସ ବୋଉଙ୍କୁ ସଂଶୋଧିତ ପ୍ରସ୍ତାବ ଦେଇଥିଲେ। ଲେବାନନ ଓ ଇସ୍ରାଏଲ ମଧ୍ୟରେ ହେଚେଷ୍ଟିନଙ୍କୁ ଆମେରିକା ଗତବର୍ଷ ବାର୍ତ୍ତାକର ନିଯୁକ୍ତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.