ନୂଆପଡାରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ ;ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରି ରାସ୍ତା ଅବରୋଧ

Published By : Prameya-News7 Bureau | June 02, 2018 IST

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଧୁଙ୍ଗିଆମୁଣ୍ଡା , କେନ୍ଦୁମୁଣ୍ଡା , କୁର୍ଲ୍ଲୁଭଟା ଅଞ୍ଚଳର ବିଭିର୍ନ୍ନ ସ୍ଥାନରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଦେଖିବାକୁ ମିଳିଛି | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ରାଜ୍ୟବାଦୀ-ପୁଞ୍ଜିବାଦୀମାନଙ୍କ ହାତରେ ଦେଶକୁ ଟେକିଦେବା ଯୋଜନାକୁ ମାଓ ସଂଗଠନ ବିରୋଧ କରୁଥିବା ପୋଷ୍ଟରରେ ଲେଖା ଯାଇଛି | ସିଆରପିଏଫ ଓ ଏସଓଜି ଯବାନମାନେ ସାଧାରଣ ଜନତାଙ୍କୁ ନିର୍ମମ ଭାବେ ଗୁଳିକରି ହତ୍ୟା କରି ଚାଲିଛନ୍ତି | ଗତ ମଇ ମାସ ୧୨ ତାରିଖ ଗରିଆବନ୍ଧ ଜିଲ୍ଲା,୧୩ ତାରିଖ ବଲାଙ୍ଗିର ଜିଲ୍ଲାର ଡୁଡୁକିମାଲ ଜଙ୍ଗଲରେ ସିଆରପିଏଫ ଏବଂ ଏସଓଜି ଯବାନ ଡିଭିଜନାଲ କମିଟୀ ସଦସ୍ୟ କମ୍ରେଡ ସଂଜିବକୁ ନିର୍ମମ ଭାବରେ ଗୁଳିକରି ହତ୍ୟା କରିଛନ୍ତି | ସେହିଭଳି କନ୍ଧମାଳ ଜଙ୍ଗଲରେ ୫ ଜଣ ମାଓବାଦୀଙ୍କୁ ଗୁଳିକରି ହତ୍ୟା କରିଥିବା ଘଟଣାକୁ ଭାରତ କମ୍ୟୁନିଷ୍ଟ ପାର୍ଟ୍ଟି ମାଓବାଦୀ ରାଜ୍ୟ କମିଟୀ ପ୍ରବକ୍ତା ଚକ୍ରବିଶୋଇ ପୋଷ୍ଟର ମାଧ୍ୟମରେ ନିନ୍ଦା କରିଛନ୍ତି | ମେକ ଇନ ଇଣ୍ଡିଆ ନାଁ ରେ ସାମ୍ରାଜ୍ୟବାଦୀ-ପୁଞ୍ଜିବାଦୀମାନଙ୍କ ହାତରେ ଦେଶକୁ ଟେକିଦେବା ଯୋଜନାକୁ ମାଓ ସଂଗଠନ କଡା ବିରୋଧ କରୁଛି | ଜଙ୍ଗଲ ଜମି,ଜଳ ଉପରେ ସାଧାରଣ ଜନତାଙ୍କ ହକ ଅଧିକାର ଅଛି | ସିଆରପିଏଫ,ଏସଓଜି ଯବାନ ମାନଙ୍କ ମିଥ୍ୟା ଗୁଳିକାଣ୍ଡକୁ ବିରୋଧ କରନ୍ତୁ | ମଇ ୧୩ରେ ହୋଇଥିବା ବଲାଙ୍ଗିର କନ୍ଧମାଳ ଗୁଳିକାଣ୍ଡକୁ ବିରୋଧ କରିବା ସହ କମ୍ରେଡ ସଂଜିବ ଅମର ରହେ ସ୍ଲୋଗାନ ଦେଇ ଚଳିତ ଜୁନ ମାସ ୪ ତାରିଖ ମାଓବାଦୀଙ୍କ ବନ୍ଦ ପାଳନକୁ ସଫଳ କରିବା ପାଇଁ ମାଓ ପୋଷ୍ଟରରେ ଆହ୍ବାନ କରାଯାଇଛି | ଘଟଣା ସ୍ଥଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପହଞ୍ଚିପାରି ନଥିବା ବେଳେ ଏଭଳି ମାଓ ପୋଷ୍ଟର ଦେଖିବା ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.