ପୋଲିସ ଏନ୍‌କାଉଣ୍ଟରର ପ୍ରତିବାଦ, ମାଓବାଦୀଙ୍କ ବନ୍ଦ ଡାକରା

Published By : Prameya-News7 Bureau | December 21, 2020 IST

ମାଲକାନଗିରି ୨୧।୧୨: ମାଲକାନଗିରି ଜିଲ୍ଲାରେ ସୋମବାର ମାଓବାଦୀ ବନ୍ଦ ଡାକରା ଦେଇଛନ୍ତି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଏହାସହ ୨ ଜଣ ଆଦିବାସୀଙ୍କୁ ପୋଲିସ ଉଠାଇ ଆଣିଛି । ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୋର୍ଟରେ ହାଜର କରାଯାଇନଥିବା ନକ୍ସଲ ନେତା କୈଳାଶ ଅଭିଯୋଗ କରିଛନ୍ତି ।

ଆଦିବାସୀଙ୍କ ଅଧିକାର ଲାଗି ଲଢେଇ କରୁଥିବା ମାଓ ସଂଗଠନକୁ ଦୁର୍ବଳ କରିବା ଲାଗି ଆନ୍ଧ୍ର ଓ ଓଡିଶା ପୋଲିସ ମାଓବାଦୀଙ୍କ ଉପରେ ବଳ ପ୍ରୟୋଗ କରୁଥିବା ଅଭିଯୋଗ କରି ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଛାଡିଦେଲେ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ବନ୍ଦ ଡାକରାର ପ୍ରଭାବ ପଡିନାହିଁ । ଯାନବାହନ ଚଳାଚଳ ସ୍ବାଭିବିକ ଭାବେ ହେଉଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲା ରହିଛି । ମାଓବାଦୀଙ୍କ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଆନ୍ଧ୍ର ଓ ଛତିଶଗଡ ସୀମାକୁ ସିଲ୍ କରାଯାଇ ସେଠାରେ କୁମ୍ବିଂ ଅପରେସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.