ସଂଗଠନ ସୁଦୃଢ କରୁଛନ୍ତି ମାଓବାଦୀ, ଜଙ୍ଗଲରେ ପର୍ଯ୍ୟାୟକ୍ରମେ ହେଉଛନ୍ତି ଏକାଠି

Published By : Prameya-News7 Bureau | November 05, 2022 IST

ବଲାଙ୍ଗିର ୦୫/୧୧: ଦୀର୍ଘବର୍ଷର ବ୍ୟବଧାନ ପରେ ଗନ୍ଧମାର୍ଦ୍ଦନରେ ଏକ ବଡ଼ଧରଣର ମାଓମେଳି ହୋଇଥିବା ପ୍ରକାଶ । ସେଥିରେ ଏକ ବଡ କ୍ୟାଡ଼ର ଗ୍ରୁପ ଏକତ୍ରିତ ହୋଇଛନ୍ତି । ପ୍ରାୟ ସମୟରେ ୪ ରୁ ୫ ଜଣିଆ ମାଓବାଦୀଙ୍କ ଦଳ ଜଙ୍ଗଲରେ ବୁଲିଥାନ୍ତି । ହେଲେ ଏଥର ବହୁସଂଖ୍ୟକ କ୍ୟାଡ଼ର ଏକତ୍ରିତ ହୋଇଛନ୍ତି । ସେମାନେ ଏକତ୍ରିତ ହୋଇ ସଂଗଠନ ସଜାଡୁଛନ୍ତି ନାଁ ପୁନଃ ନିଜର ଉପସ୍ଥିତି ଜାହିର ସହ ପାଣ୍ଠି ସଂଗ୍ରହ, ଟ୍ରେନିଂ ପାଇଁ ଯୋଜନା କରୁଛନ୍ତି, ତାହା ସ୍ପଷ୍ଟ ହୋଇନି ।

ଗତ କିଛିମାସ ହେଲା ପଡୋଶୀ କନ୍ଧମାଳ ଓ ନୂଆପଡ଼ାରେ ପୋଲିସ ଅପରେସନ ଜାରି ରହିଛି । କିନ୍ତୁ ଆରମ୍ଭରୁ ବଲାଙ୍ଗିରରେ ସେଭଳି ବଡ଼ଧରଣର ହିଂସାକାଣ୍ଡ ନଥିବାରୁ ପୁଲିସ ପକ୍ଷରୁ ସେତେ ବଡ଼ ଅପରେସନ କରାଯାଉନାହିଁ । ତେଣୁ ଏହାକୁ ସୁରକ୍ଷିତ ସ୍ଥାନ ଭାବି ମାଓବାଦୀ ମେଳି କରିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏସମ୍ପର୍କରେ ବଲାଙ୍ଗିର ଏସପି ନୀତିନ କୁଶଲକରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କିଛି କହିନଥିଲେ । କିନ୍ତୁ ସୀମାବର୍ତ୍ତି ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପୁଲିସ-ସୁରକ୍ଷାବଳର ମିଳିତ କମ୍ବିଂ ଜାରି ରହିଥିବା ପ୍ରକାଶ ।

ସୂଚନା ଅନୁଯାୟୀ, ଦୀର୍ଘବର୍ଷର ବ୍ୟବଧାନ ପରେ ଲାଠୋର, ଖପ୍ରାଖୋଲ ଅଞ୍ଚଳରେ ଏକ ବଡ଼ଧରଣର ମାଓ ଗତିବିଧି ଚାଲିଥିବା ଜଣାପଡିଛି । ଏହି ଗତିବିଧିରେ ସାଧାରଣ କ୍ୟାଡ଼ର ଗ୍ରୁପ ତୁଳନାରେ ବହୁଗୁଣରେ ବଡ଼ ଗ୍ରୁପ ରହିଛନ୍ତି । ସେମାନେ ପର୍ଯ୍ୟାୟକ୍ରମେ ସ୍ଥାନ ବଦଳାଉ ଥିବାବେଳେ ଏବେ ଗନ୍ଧମାର୍ଦ୍ଦନର ଘଞ୍ଚ ଜଙ୍ଗଲରେ ଥିବା କୁହାଯାଉଛି । ସେଠାରେ ବିଭିନ୍ନ ଡ଼ିଭିଜନର କ୍ୟାଡ଼ର ରହିଥିବା କୁହାଯାଉଛି । ଯେହେତୁ ସ୍ଥାନୀୟ ସମର୍ଥନ, ଅର୍ଥ, ଖାଦ୍ୟ, ଅସ୍ତ୍ରଶସ୍ତ୍ରର ଅଭାବ ସହ ଦଳଭିତରର ବିଭିନ୍ନ କାରଣ ଯୋଗୁଁ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ତେଣୁ ସଂଗଠନକୁ ପୁନଃ ସଜାଡ଼ିବା ପାଇଁ ସେମାନେ ଋଣନୀତି ପ୍ରସ୍ତୁତ କରିଥାଇପାରନ୍ତି । ନଚେତ ପାଣ୍ଠି ସଂଗ୍ରହ କିମ୍ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ସେମାନେ ଏକତ୍ରିତ ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ହେଲେ ପୁଲିସ ଏନେଇ ଆଗୁଆ ଖବର ପାଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସହ କମ୍ବିଂ ଚଳାଇଥିବା ଜଣାପଡିଛି ।

ପ୍ରକାଶ ଯେ, ଗତ ୨୦୧୮ ମସିହା ମଇ ୧୩ତାରିଖ ରାତିରେ ଡୁଡକାମାଲ ଗାଁକୁ ଆସିଥିବା ପ୍ରାୟ ୧୫ଜଣ ମାଓବାଦୀଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ବଲାଙ୍ଗିର-ବରଗଡ଼-ମହାସମୁନ୍ଦ(ବିବିଏମ) ଡିଭିଜନର ଡ଼ିଭିଜିନାଲ କମିଟି ସଦସ୍ୟ ସଞ୍ଜିବ ଏବଂ ଏରିଆକମିଟି ସଦସ୍ୟ ରାକେଶର ମୃତ୍ୟୁ ହୋଇଥିଲା । ଏହାପରଠୁ ଜିଲ୍ଲାରେ ମାଓସଂଗଠନ କ୍ରମେ ଦୁର୍ବଳ ହୋଇଯାଇଛି । କେବଳ ନିୟମିତ ବ୍ୟବଧାନରେ ନିଜ ଉପସ୍ଥିତି ଜାହିର କରିବାକୁ ସେମାନେ ବିଭିନ୍ନ ସମୟରେ ପୋଷ୍ଟର/ବ୍ୟାନର ମାରିବା କିମ୍ବା ପୁଲିସ ଗୁଳିବିନିମୟ ପରେ ସେମାନେ ଆସିଥିବା ଜଣାପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.