ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
24/03/2023 at 8:13 AM

ମାଲକାନଗିରି ୨୪/୦୩: ମାଲକାନଗିରିରେ ମାଓ କ୍ୟାମ୍ପ ଠାବ । ନକ୍ସଲ ଦମନ ପାଇଁ ଜିଲ୍ଲାରେ ମୁତୟନ ହୋଇଥିବା ୮୮ ବାଟାଲିଆନ ବିଏସଏଫ ଯବାନ ମାନେ ଗୁରୁବାର କମ୍ୱିଂ ଅପରେସନ ଲାଗି ବାଲିମେଳା ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ବେଳେ ମାଓବାଦୀ ମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି ।
ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ର ଲାରୀଗୁଡା ଓ ତାଇମାଳ ଜଙ୍ଗଲରେ ଅପରେସନ ଚାଲିଥିବା ସମୟରେ ଯବାନ ମାନେ ମାଓବାଦୀଙ୍କ ଏକ ଡମ୍ପ ପାଇଥିଲେ । ପରେ ମାଟି ତଳୁ ଏହି ସବୂ ମାଓ ସାମଗ୍ରୀ ବାହାର କରିଥିଲେ ।
ଜବତ ମାଓ ସାମଗ୍ରୀ ମଧ୍ୟରେ ରହିଛି ୩ ଟି ଟିଫିନ ବୋମା, ୨ ଟି ଦେଶୀ ବନ୍ଧୁକ, ଗୋଟିଏ ବେରେଲ ବନ୍ଧୁକ, ଦେଶୀ ବନ୍ଧୁକ ଖାଲି ଖୋଳ ୨ ଟି, ଗ୍ରେନେଡ଼ ୧୧ ଟି, ଡିଟୋନେଟର ୮ ଟି, ଇନସାସ ମାଗାଜିନ, ୱାକି ଟକି, ବିସ୍ଫୋରକ ପାଉଡର ଓ ମାଓ ପୁସ୍ତକ ରହିଛି ।