ପ୍ରଥମଥର ପାଇଁ ରମଜାନରେ ଶୂନଶାନ ଭୋପାଳ ସହର : ପୂର୍ବରୁ ତୋପ ଚଲାଇ ଚନ୍ଦ୍ର ଦର୍ଶନ ପାଇଁ ଅପିଲ କରାଯାଉଥିଲା, ବଦଳିଯାଇଛି ଅନେକ ପରମ୍ପରା

Published By : Prameya-News7 Bureau | April 29, 2020 IST

ଭୋପାଳ ୨୯/୦୪ : ରମଜାନ ମାସ ଆରମ୍ଭ ହୋଇଛି | ରମଜାନ ସମୟରେ ଲକଡାଉନ ଯୋଗୁଁ ଭୋପାଲର ରାସ୍ତାଘାଟ ଶୂନଶାନ ହୋଇପଡିଛି | କିନ୍ତୁ ଲୋକଙ୍କ ମନରେ ଉତ୍ସାହ କମିନାହିଁ | ଲୋକେ ମସଜିଦ ଯାଇପାରୁନାହାନ୍ତି କିନ୍ତୁ ଘରେ ନମାଜ ପଢି ରୀତିନୀତି ପାଳନ କରୁଛନ୍ତି | ବହୁ ପୂର୍ବରୁ ନବାବଙ୍କ କାଳରୁ ଭୋପାଲରେ ରମଜାନର ଏକ ଅଲଗା ରୂପରଙ୍ଗ ଦେଖିବାକୁ ମିଳେ | ଖାଇବା ପିଇବା ହେଉ କି ତୋପ ଦ୍ୱାରା ଚନ୍ଦ୍ରକୁ ସଲାମ କରିବା ପରମ୍ପରା ହେଉ, ଛତରୀ ଗଳିର ସ୍ୱାଦିଷ୍ଠ ବ୍ୟଞ୍ଜନ ହେଉ କିମ୍ବା ଚୌକ ବଜାରର ଚାହିଦା, ଭୋପାଲର ନିଜର ଏକ ଅଲଗା ପରିଚୟ ରହିଛି |

{"id":262015,"width":572,"height":320,"sizeSlug":"large"}

ରମଜାନ ସମୟରେ ଲଖେରାପୁରା, ଇବ୍ରାହିମପୁରା, ଚୌକ ବଜାର, ଲୋହା ବଜାର, ଆଜାଦ ମାର୍କେଟ ବିଳମ୍ବିତ ରାତି ଯାଏଁ ଖୋଲା ରହେ | ଖାଦ୍ୟ ସାମଗ୍ରୀ ସହ ଲୁଗାପଟା, ଗହଣା, ଜୋତା ଚପଲ, ଘର ସାଜସଜ୍ଜା ଜିନିଷ, ଇଲେକ୍ଟ୍ରୋନିକ ଜିନିଷ ସହ ଯାନବାହାନ ମଧ୍ୟ କିଣା ଯାଇଥାଏ | କିନ୍ତୁ ବର୍ତ୍ତମାନ କରୋନା ଯୋଗୁଁ ବଜାର ପୁରା ମାନ୍ଦା | ଚଳିତ ବର୍ଷ କରୋନା ଯୋଗୁଁ ୨୦ ରୁ ୨୫ କୋଟି ବ୍ୟବସାୟ ପ୍ରଭାବିତ ହୋଇଛି | ତେବେ ମେ ୩ ତାରିଖ ପରେ ଯଦି ଲକଡାଉନ ଖୋଲେ ତାହେଲେ ପୁଣି ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା କରୁଛନ୍ତି | 

ଇଦର ଗୋଟିଏ ଦିନ ପୂର୍ବରୁ ରାତିରେ ବଜାରରେ ଲୋକଙ୍କ ଭିଡ ଜମେ | ଏହି ଦିନ କୌଣସି ବ୍ୟବସାୟୀ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ଦିଅନ୍ତିନି | ଲାଭ ନହେଲେ ମଧ୍ୟ ଜିନିଷ ବିକ୍ରି କରିଥାନ୍ତି | ଏହି ପରମ୍ପରା ବହୁତ ପୁରୁଣା ଏବଂ ଏହାକୁ ଉଭୟ ହିନ୍ଦୁ ଓ ମୁସଲମାନ ବ୍ୟବସାୟୀ ଗ୍ରହଣ କରିଛନ୍ତି |

{"id":262016,"sizeSlug":"large"}

ଏନସିଇଆରଟି ବିଭାଗର ଜଣେ ପ୍ରଫେସର ମହମ୍ମଦ ନୌମନ ଖାନ କହିଛନ୍ତି ଯେ, ଭୋପାଲର ଏମିତି ଅନେକ ବିଶେଷତ୍ୱ ରହିଛି ଯେଉଁଥିପାଇଁ ସହର ବେଶ ପରିଚିତ | ନବାବଙ୍କ ସମୟରେ ଭୋପାଲରେ ଥିବା ଫତେହଗଡ଼ ଦୁର୍ଗର ବୁର୍ଜରେ ଥିବା ତୋପ ଚଲାଇ ଚନ୍ଦ୍ରକୁ ଦେଖିବାକୁ ଅପିଲ କରାଯାଉଥିଲା | ଇଫତାର ସମୟରେ ମଧ୍ୟ ତୋପ ଚଲାଯାଉଥିଲା |

ଏହିସବୁ କାମ ସରକାରୀ ବଜେଟ ଅନ୍ତର୍ଭୁକ୍ତ ଥିଲା | ସରକାର ସମସ୍ତ ପ୍ରସ୍ତୁତି କରିଥିଲେ | କିନ୍ତୁ ପରେ ଏହି ସିଲସିଲା ବନ୍ଦ ହୋଇଯାଇଥିଲା | ସେତେବେଳେ ଭୋର ୪ଟା ସମୟରେ ଜଣେ ଘର ବାହାରକୁ ଆସି ବଡ ପାଟିରେ ଲୋକଙ୍କୁ ସହରୀ ପାଇଁ କହୁଥିଲେ | ତାଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା ମଧ୍ୟ ଥିଲା | କିନ୍ତୁ ବର୍ତ୍ତମାନ ଆଉ ସେ ପରମ୍ପରା ନାହିଁ | ବର୍ତ୍ତମାନ ବାଣ ଫୁଟାଇ ଲୋକଙ୍କୁ ସହରୀ ପାଇଁ କୁହାଯାଇଥାଏ | ନବାବଙ୍କ ସମୟରେ ଦିନବେଳେ ଦୋକାନ ବଜାର ବନ୍ଦ ରହୁଥିଲା | ଇଫତାର ଗ୍ରହଣ କରିବା ପରେ ଲୋକେ ଦୋକାନ ବଜାର ଖୋଳୁଥିଲେ |

{"id":262017,"sizeSlug":"large"}

କିନ୍ତୁ ଚଳିତବର୍ଷ ଅନେକ ପରମ୍ପରା ବଦଳିଯାଇଛି | ପ୍ରଥମଥର ପାଇଁ ଲୋକେ ମସଜିଦରେ ନମାଜ ନ ପଢି ଘରେ ପଢୁଛନ୍ତି | ପ୍ରଫେସର ନୌମାନ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ପ୍ଲେଗ ମହାମାରୀ ଯୋଗୁଁ ଏହିଭଳି ସ୍ଥିତି ଦେଖିବାକୁ ମିଳିଥିଲା | ବର୍ତ୍ତମାନ ୨୦୨୦ ମସିହାରେ ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି | ପୁରା ଦେଶ ଲକଡାଉନ ହୋଇ ରହିଛି | ଇଫତାର ପାର୍ଟି ପରମ୍ପରା ମଧ୍ୟ ଭାଙ୍ଗିଯାଇଛି | ସାମାଜିକ ଦୂରତା ପାଳନ ଯୋଗୁଁ ଲୋକେ ପରସ୍ପରକୁ ଭେଟି ପାରୁନାହାନ୍ତି | ତେବେ ଏହାକୁ ବିରୋଧ ନ କରି ଭୋପାଳବାସୀ ପୁର୍ଣ ସହଯୋଗ କରୁଛନ୍ତି | ବଞ୍ଚିଥିଲେ ଏବଂ ସୁରକ୍ଷିତ ଥିଲେ ପୁଣି ଆସନ୍ତା ବର୍ଷ ଧୂମଧାମରେ ରମଜାନ ପାଳନ କରିବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.