ବାତ୍ୟାରେ ଭାଙ୍ଗିଯାଇଛି ପୁରୀ ଜିଲ୍ଲାର ଅଧିକାଂଶ ସ୍କୁଲ, ଖରାଛୁଟି ପରେ କେମିତି ହେବ ପାଠପଢା ?

Published By : Prameya-News7 Bureau | May 29, 2019 IST

ପୁରୀ ୨୯|୫: ବାତ୍ୟା ଉଜାଡ଼ି ଦେଇଛି ଶିକ୍ଷାର ଭିତ୍ତିଭୂମି । ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ଥିବା ଅଧିକାଂଶ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । ଆଉ କିଛି ଦିନ ପରେ ଖରା ଛୁଟି ସରିଯିବ । ସ୍କୁଲ ଖୋଲିଯିବ । ହେଲେ ପାଠ ପଢ଼ା କେମିତି ଆରମ୍ଭ ହେବ ।ତେବେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କିଛି ସ୍କୁଲରେ କାମ ଆରମ୍ଭ କରିଦେଇଛି ।

{"id":117254}

ଫୋନି ଉଜାଡ଼ିଦେଇଛି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି । ଅଧିକାଂଶ ସ୍କୁଲ ଭାଙ୍ଗିଯାଇଛି । କୋଉଠି କାନ୍ଥ ଭାଙ୍ଗି ପଡ଼ିଛି ତ ଆଉ କେଉଁଠି ସ୍କୁଲ ଛାତ ଫାଟି ଆଁ କରିଛି । ଆଜବେଷ୍ଟସ ପଡ଼ିଥିବା ସ୍କୁଲର ଅବସ୍ଥା ନକହିବା ଭଲ । ୟୁ.ପି ସ୍କୁଲ, ହାଇସ୍କୁଲ ସବୁଠି ସମାନ ଚିତ୍ର ପାଇବେ ଆପଣ ।

{"id":117255}

ପୁରୀ ସହରରେ ଥିବା ସ୍କୁଲ ଠାରୁ ଆରମ୍ଭ କରି ପୁରୀ ସଦର, ବ୍ରହ୍ମଗିରି, ଗୋପ, କଣାସ, ସତ୍ୟବାଦୀ ପ୍ରାୟ ସବୁ ବ୍ଲକରେ ଏକା ଅବସ୍ଥା । ଛାତ୍ରଛାତ୍ରୀ ବସିବାକୁ ଗୋଟିଏ ବି ଶ୍ରେଣୀ ଗୃହ ନାହିଁ । ସ୍କୁଲ ବିଲଡିଂ କି ପାଚେରୀ ନୁହେଁ, ପିଲାଙ୍କ ପାଠ୍ୟ ଉପକରଣ, ସମସ୍ତ ଆସବାବପତ୍ର ମଧ୍ୟ ଯାଇଛି । ଦରକାରୀ କାଗଜ ପତ୍ର ମଧ୍ୟ ବାତ୍ୟା ପ୍ରକୋପରୁ ବର୍ତ୍ତିନି ।

{"id":117256}

ଦେଖନ୍ତୁ ଏଇ ସ୍କୁଲର ହାଲ୍ । ପ୍ରତ୍ୟକ କୋଠରୀରୁ ଆଜବେଷ୍ଟସ ଉଡ଼ିଯିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଛି ।ସ୍କୁଲର ହାଲ୍ ଦେଖିଲେ ଏହା ଏକ ଶିକ୍ଷାନୁଷ୍ଠାନ ବୋଲି ଭାବି ହେବନି । ଆଉ ଦୁଇ ସପ୍ତାହ ପରେ ସ୍କୁଲ ଖୋଲିବ ।  ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସ୍କୁଲଗୁଡ଼ିକର ଅବସ୍ଥା ଯେମିତି, ପାଠ ପଢ଼ା ଆରମ୍ଭ ହୋଇପାରିବ ତ? ତେବେ ଯୁଦ୍ଧକାଳୀନ ଭିତ୍ତିରେ ପଢ଼ିବା ଉପଯୋଗୀ ସ୍କୁଲର କିଛି ପ୍ରକୋଷ୍ଠ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

{"id":117257}

ମୌସୁମୀ ଆସୁଛି । ବର୍ଷା ହେଲେ ପରିସ୍ଥିତି ଆହୁରି ସାଂଘାତିକ ହୋଇପଡ଼ିବ । ଦେଖାଯାଉ ପ୍ରଶାସନ ସୀମିତ ସମୟ ଭିତରେ କାମ କରିପାରୁଛି କି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.