ମୁମ୍ବାଇ, ଠାଣେ, ନାସିକ ଓ ରାୟଗଡ଼ ସମେତ ମହାରାଷ୍ଟ୍ରର ଅନେକ ସହରରେ ହୋଇପାରେ ବ୍ଲାକ୍ ଆଉଟ୍, ଜାଣନ୍ତୁ କାହିଁକି?
3/01/2023 at 7:55 PM

ମୁମ୍ବାଇ ୩।୧: ମହାରାଷ୍ଟ୍ରରେ ୩ ସରକାରୀ ବିଦ୍ୟୁତ କମ୍ପାନୀଙ୍କ ଘରୋଇକରଣକୁ ବିରୋଧ କରି କର୍ମଚାରୀ ୟୁନିୟନ ଜାନୁୟାରୀ ୪ ତାରିଖରୁ ୭୨ ଘଣ୍ଟା ହରତାଳକୁ ଯିବା ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ରାଜଧାନୀ ମୁମ୍ବାଇ ସମେତ ଠାଣେ, ନାସିକ, ରାୟଗଡ ଆଦି ସହରାଞ୍ଚଳ ଓ ଅନ୍ୟ ଜିଲ୍ଲା ମାନଙ୍କରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଉଛି। ସରକାରୀ ବିଦ୍ୟୁତ କମ୍ପାନୀଙ୍କ ଘରୋଇକରଣକୁ ବିଫଳ କରିବା ପାଇଁ ୩୦ରୁ ଅଧିକ ୟୁନିୟନ ଏବେ ଏକଜୁଟ ହୋଇଛନ୍ତି।
ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ୱାର୍କର୍ସ ଫେଡେରେସନର ସାଧାରଣ ସମ୍ପାଦକ କୃଷ୍ଣ ଭୋଇର ଚାଳକ, ୱେରମ୍ୟାନ, ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀଙ୍କ ୩୦ ୟୁନିୟନକୁ ଘରୋଇକରଣକୁ ବିଫଳ କରିବା ପାଇଁ ଏକଜୁଟ କରିଛନ୍ତି। ଭୋଇର କହିଛନ୍ତି ଯେ ଏହିକମ୍ପାନୀଙ୍କ କର୍ମଚାରୀମାନେ ଗତ ୩ ସପ୍ତାହ ହେଲା ପ୍ରଦର୍ଶନ କରିଆସୁଛନ୍ତି। ଏହି କ୍ରମରେ ସୋମବାର ଦିନ ୧୫ ହଜାରରୁ ଅଧିକ କର୍ମଚାରୀ ଠାଣେ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ମଧ୍ୟ କରିଥିଲେ। ତେବେ ଏହାର କୌଣସି ସୁଫଳ ନ ମିଳିବାରୁ ଏବେ ୩ ବିଦ୍ୟୁତ କମ୍ପାନୀଙ୍କ ୮୬ ହଜାର କର୍ମଚାରୀ, ଅଧିକାରୀ, ଯନ୍ତ୍ରୀ ଙ୍କ ସମେତ ୪୨ ହଜାରରୁ ଅଧିକ ଠିକା କର୍ମଚାରୀ ବୁଧବାର ୭୨ ଘଣ୍ଟିଆ ହରତାଳକୁ ଯିବେ।
ଭାଇର କହିଛନ୍ତି ଯେ ପ୍ରଦର୍ଶନକାରୀ କର୍ମଚାରୀଙ୍କ ସବୁଠୁ ବଡ଼ ଦାବି ହେଉଛି ଆଦାନୀ ଗୃପ୍ର ସହାୟକ କମ୍ପାନୀକୁ ପୂ୍ର୍ବ ମୁମ୍ବାଇର ଭାଂଡୁପ, ଠାଣେ ଓ ନବୀ ମୁମ୍ବାଇରେ ଲାଭାର୍ଜନ ଲାଗି ସମାନ୍ତର ଲାଇସେନ୍ସ ଦିଆନଯାଉ। ବିଦ୍ୟୁତ କର୍ମଚାରୀ ସଙ୍ଗଠନଙ୍କ ହରତାଳକୁ ରାଜ୍ୟରେ ଆମଆଦମୀ ପାର୍ଟି ସମର୍ଥନ କରିଛି। ପାର୍ଟିର ମୁମ୍ବାଇ ଅଧ୍ୟକ୍ଷ ପ୍ରିତିଶର୍ମା ମେନନ କହିଛନ୍ତି ଯେ ସରକାରୀ ବିଦ୍ୟୁତ ବିତରଣକାରୀ କମ୍ପାନୀ ମହାବିତରଣକୁ ଆଦାନୀ ସମୂହକୁ ଦେବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଏଣୁ ବିଦ୍ୟୁତ କର୍ମଚାରୀଙ୍କ ସହ ଆମ ଆଦମୀ ପାର୍ଟି ଦୃଢତାର ସହ ଛିଡା ହୋଇଛି ବୋଲି କହିଛନ୍ତି।
ପ୍ରିତି ଶର୍ମା ମେନନ କହିଛନ୍ତି ଯେ ଆଦାନୀ ପାୱାର କମ୍ପାନୀ ଭାଂଡୁପ, ମୁଲୁନ୍ଦ, ଠାଣେ, ନଭି ମୁମ୍ବାଇ, ପନଭେଲ, ତନୋଜା ଓ ଉରଣ କ୍ଷେତ୍ରର ମହାବିତରଣ ଅଧିକାର କ୍ଷେତ୍ରରେ ଆସୁଥିବା ଅଞ୍ଚଳରେ ସମାନ୍ତରାଳ ଲାଇସେନ୍ସ ଲାଗି ମହାରାଷ୍ଟ୍ର ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଆବେଦନ କରିଛନ୍ତି। ଏହାର ଅର୍ଥ ରାଜ୍ୟରେ ବିଦ୍ୟୁତ କ୍ଷେତ୍ରର ଘରୋଇକରଣ ହେବାକୁ ଯାଉଛି। ଏହାକୁନେଇ ମହାବିତରଣର ବିଦ୍ୟୁତ ଉପଭୋକ୍ତା, ମହାବିତରଣର ହଜାର ହଜାର କର୍ମଚାରୀ, ଟ୍ରେଡ ୟୁନିୟନ ଓ ଲୋକପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।
ମୁମ୍ବାଇରେ ବିଏସଇଏସ୍ କମ୍ପାନୀର ଘରୋଇକରଣ ପରେ ଆଦାନୀ ଏହାକୁ ଅଧିଗ୍ରହଣ କରିନେଇଛି। ଏହା ପରେ ହେଉଥିବା ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ଲୋକେ ଅନୁଭବ କରୁଛନ୍ତି। ଏଥିରେ ଯଦି ମହାବିତରଣ କମ୍ପାନୀର ଘରୋଇକରଣ କରି ଆଦାନୀକୁ ଦେଇ ଦିଆଯାଏ ତେବେ ଗାଁଗହଳିରେ ମଧ୍ୟ ବିଦ୍ୟୁତ ବିଲ ବଢିଯିବ। ଗ୍ରାମୀଣ କ୍ଷେତ୍ରରେ ଯେଉଁଠି ଲୋକଙ୍କ ଆୟ କମ ସେଠାରେ ବିଦ୍ୟୁତ ଦେୟ ବୃଦ୍ଧି ଲୋକଙ୍କ ଲାଗି ସମସ୍ୟାର କାରଣ ହେବ। ଏଣୁ ଆମଆଦମୀ ପାର୍ଟି କୌଣସି ପ୍ରକାର ଘରୋଇକରଣର ଘୋର ବିରୋଧୀ ବୋଲି ପ୍ରିତିଶର୍ମା ମେନନ କହିଛନ୍ତି।