ନୂଆ ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ, ଏସବୁ ଯୋଜନା ବନ୍ଦ କରିବା ମୁସ୍କିଲ !

Published By : Prameya-News7 Bureau | June 13, 2024 IST

ଭୁବନେଶ୍ଵର: କାଲିଠୁ ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ।  ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ପ୍ରଥମ କ୍ୟାବିନେଟରେ ୪ଟି ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଆରମ୍ଭରୁ ଲୋକଙ୍କ ନିକଟତର ହୋଇ ଏହା ଲୋକଙ୍କ ସରକାର ବୋଲି  ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ରାଜ୍ୟରେ ପ୍ରଥମ ଥର କ୍ଷମତାକୁ ଆସିଥିବା ବିଜେପି ସରକାର ଠାରୁ ରାଜ୍ୟବାସୀଙ୍କ ଅନେକ ଆଶା ରଖିଥିବା ବେଳେ ନୂଆ ସରକାରଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ ।

ଆରମ୍ଭରୁ ଆଗ୍ରେସିଭ ମୋଡରେ ମୋହନ ସରକାର । କାଲି ସଂଧ୍ୟାରେ ଶପଥ  ।  ରାତିରେ କ୍ୟାବିନେଟ । ଆଉ ଆଜି  ସକାଳୁ ସକାଳୁ ଆକ୍ସନ । ନିର୍ବାଚନ ପୂର୍ବରୁ ବିଜେପି ସଂକଳ୍ପ ପତ୍ରରେ ଯେଉଁସବୁ ଘୋଷଣା କରିଥିଲା ପ୍ରଥମ କ୍ୟାବିନେଟରେ ସେଥିରୁ ୪ଟି ପ୍ରସ୍ତାବରେ ବାଜିଛି ମୋହର । ଅର୍ଥାତ୍ ଦେଇଥିବା ପ୍ରତିଶ୍ରୁତିକୁ କେମିତି ପୂରଣ କରିଛନ୍ତି ତା’ର ପ୍ରମାଣ ଦେଇଛନ୍ତି ମୋହନ ସରକାର । ଆଜି ଖୋଲିଛି  ଶ୍ରୀମନ୍ଦିର ୪ ଦ୍ବାର । ବଡ ଦେଉଳ ରକ୍ଷାଣବେକ୍ଷଣ ସହ ଉନ୍ନତି ଆଉ ସୁରକ୍ଷା ଲାଗି ୫ ଶହ କୋଟିର କର୍ପସ ଫଣ୍ଡ ହୋଇଛି । ସୁଭଦ୍ରା ଯୋଜନା, ଧାନ MSP ବୃଦ୍ଧି ଲାଗି ସମୃଦ୍ଧ କୃଷକ ନୀତି ଉପରେ ମୋହର ବାଜିଛି ।  ୧୦୦ ଦିନ ଭିତରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

Also read: ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି, ଜୁନ୍ ୧୮ ଏବଂ ୧୯ରେ ଶପଥ ନେବେ ନବନିର୍ବାଚିତ ବିଧାୟକ

ନୂଆ ସରକାର ଲୋକଙ୍କ ସରକାର ବୋଲି ଆରମ୍ଭରୁ ବାର୍ତ୍ତା ଦେବାକୁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ମୋହନଙ୍କ ନୂଆ ଟିମ୍ । ତେବେ ନୂଆ ସରକାର ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ ।  ବିଧାନସଭାରେ ଦୃଢ ବିରୋଧୀ ଦଳର ମୁକାବିଲା କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସରକାରଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ନୂଆ ସରକାର ପାଇଁ ଆହ୍ବାନ ରହିବ। ତେବେ ମୋହନ ସରକାର କହିଛନ୍ତି ୨୪ ବର୍ଷରେ ଯାହା ହୋଇନି ତାହା ୫ ବର୍ଷରେ କରି ଦେଖାଇବ ଡବଲ ଇଞ୍ଜିନ୍ ସରକାର। 

ଦୀର୍ଘ ୨୪ ବର୍ଷର ବିଜେଡି ସରକାରକୁ ହଟାଇ କ୍ଷମତାକୁ ଆସିଥିବା ବିଜେପି ସରକାର ପାଇଁ ଲୋକଙ୍କ ଭରସା ଜିତିବା ବଡ଼ ଚାଲେଂଜ୍ । ବିଦାୟୀ ସରକାର ରାଜ୍ୟରେ କରିଥିବା ବିଭିନ୍ନ ଯୋଜନା, ଯେମତି କି  କାଳିଆ, BSKY, ଲକ୍ଷ୍ମୀ ବସ, ଆହାର, ନୂଆ ଛାତ୍ର ବୃତ୍ତି, ମିଶନ ଶକ୍ତି, ଜାଗା ମିଶନ ଆଦି ଲୋକଙ୍କ ସହ ସିଧା ଯୋଡି ହୋଇ ରହିଥିବା ଅନେକ ଯୋଜନାକୁ ସରକାର କେଉଁ ଢଙ୍ଗରେ ଲାଗୁ କରିବେ ତାହା ବଡ ଚ୍ୟାଲେଞ୍ଜ ହେବ ।

ସେହିଭଳି କେନ୍ଦ୍ର ସରକାରଙ୍କ ମେଗା ସ୍ବାସ୍ଥ୍ୟ ଯୋଜନା ଆୟୁଷମାନ ଭାରତ, ପିଏମ କିଷାନ ନିଧି ଯୋଜନା, ଶିକ୍ଷା ମନ୍ତ୍ରଣାଳୟର ପିଏମଶ୍ରୀ ସ୍କୁଲ ଯୋଜନା, ଆବାସ ଯୋଜନାକୁ କିଭଳି ପ୍ରଭାବୀ ଢ଼ଙ୍ଗରେ ହିତାଧୀକାରୀଙ୍କ ପାଖରେ ପହଞ୍ଚାଇ ହେବ ତାହା ନୂଆ ସରକାର ପାଇଁ ଚାଲେଂଜ ହେବ । ରାଜ୍ୟରେ ଦାୟିତ୍ବ ନେଇଥିବା ଏବେ ବିଜେପି ସରକାର ପାଇଁ ଜନତାଙ୍କ ଆଶା ଆକାଂକ୍ଷା ପୂରଣ କରିବା ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.