ନୂଆଦିଲ୍ଲୀ ୧୦/୮: ଦୀର୍ଘ ୧୭ ମାସ ଜେଲ୍ରେ ରହି ମୁକୁଳିଛନ୍ତି ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।ଆଜି ସକାଳୁ ନିଜ ପତ୍ନୀଙ୍କ ସହ ବସି ଚା’ ପିଇଛନ୍ତି ସିସୋଦିଆ । ଆଉ ସେହି ସମୟର ଫଟୋକୁ ସୋସିଆଲ ମିଡିଆ ‘x’ରେ ପୋଷ୍ଟ କରି ଲେଖିଛନ୍ତି ସ୍ବାଧୀନ ସକାଳର ପ୍ରଥମ ଚା…୧୭ ମାସ ପରେ । ସେହି ସ୍ବାଧୀନତା ଯାହା ସମ୍ବିଧାନ ଆମ ସମସ୍ତଙ୍କ ବଞ୍ଚିବାର ଅଧିକାରକୁ ଗ୍ୟାରେଣ୍ଟି ଭାବେ ନେଇଛି । ସେହି ସ୍ବାଧୀନତା ଯାହା ଖୋଲା ଆକାଶ ତଳେ ନିଶ୍ବାସ ନେବାକୁ ଇଶ୍ବର ଦେଇଛନ୍ତି । ଜେଲ୍ରୁ ବାହାରିବା ପରେ ବେଶ ଭାବୁକ ହୋଇପଡିଛନ୍ତି ସିସୋଦିଆ । ଏକଥା ତାଙ୍କ ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ସିସୋଦିଆ ଦେଢ ବର୍ଷ ହେବ ତିହାର ଜେଲ୍ରେ ଥିଲେ । ଶୁକ୍ରବାର ଜେଲ୍ରୁ ମୁକୁଳିବା ପରେ ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଓ ତାଙ୍କ ବାପା-ମାଆଙ୍କୁ ଦେଖା କରିଥିଲେ । ସିସୋଦିଆଙ୍କୁ ଦେଖି ସୁନୀତା ମଧ୍ୟ ବେଶ ଭାବୁକ ହୋଇପଡିଥିଲେ ।