ମୁମ୍ୱାଇ ୦୫/୦୭: ତେଲୁଗୁ ସର୍ଟ ଫିଲ୍ମ “ମନାସାନମାହା” ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡରେ ବିଶ୍ବରେ ସବୁଠାରୁ ଅଧିକ ପୁରସ୍କାର ପାଇଥିବା କ୍ଷୁଦ୍ର ଚଳଚ୍ଚିତ୍ରଭାବେ ଇତିହାସ ସୃଷ୍ଟି କରିଛି । ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଦୀପକ ରେଡିଙ୍କ ଏହି ଫିଲ୍ମ ୫୧୩ ଟି ଆଓ୍ବାର୍ଡ ପାଇସାରିଲାଣି ।
କେବଳ ଜାତୀୟ ନୁହେଁ ବରଂ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିବା ଏଇ ସର୍ଟ ଫିଲ୍ମ, ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ପାଇଛି । ଏହି ସର୍ଟ ଫିଲ୍ମ ଇଣ୍ଡିଆନ ଫିଲ୍ମ ଫେସଟିଭାଲ ଅଫ ମେଲବର୍ଣ୍ଣ, ସାନ ଫ୍ରାନ୍ସିସ୍କୋ ଫ୍ରୋଜନ ଫିଲ୍ମ ଫେଷ୍ଟିଭାଲ ଓ ବେଙ୍ଗୋଲୁରୁ ଇଣ୍ଟରନ୍ୟାସନାଲ ସର୍ଟ ଫିଲ୍ମ ଫେଷ୍ଟିଭାଲ ସମେତ ଅନେକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇସାରିଛି ।
ଗଜଲା ସିଲ୍ପାଙ୍କ ପ୍ରଯୋଜିତ ଏହି ସିନେମାରେ ବିରାଜ ଅଶ୍ବିନ, ଦ୍ରିଶିକା ଚନ୍ଦର, ଶ୍ରୀବଲି ରାଘବେନ୍ଦର ଓ ପ୍ରିଥବୀ ଶର୍ମା ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି । ଖୁବ ସୁନ୍ଦର ଅଭିନୟ ସାଙ୍ଗକୁ ସିନେମାଟିରେ ଅତି ଉନ୍ନତମାନର ଭିଡିଓଗ୍ରାଫି ଦେଖିବାକୁ ମିଳିଛି । ଏହି ସିନେମାଟି ଅନେକ ସିନେପ୍ରେମୀ ଓ ସିନେ ନିର୍ମାତା ମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି।
ଏହା ଏତେ ଲୋକପ୍ରିୟତା ଲାଭ କରିଛି ଯେ ବହୁ ଚର୍ଚ୍ଚିତ ଲୋକପ୍ରିୟ ନିର୍ଦ୍ଦେଶକ ଗୌତମ ବାସୁଦେବ ମେନନ ଏହାକୁ ଓଣ୍ଡ୍ରାଗା ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ବାରା ତାମିଲ ଭାଷାରେ ରିଲିଜ କରିଥିଲେ। ଅଲୁ ଅର୍ଜୁନଙ୍କ ବହୁ ପ୍ରଶଂସିତ ସିନେମା ପୁଷ୍ପାର ନିର୍ଦ୍ଦେଶକ ସୁକୁମାର ମଧ୍ୟ ଏହି କ୍ଷୁଦ୍ର ସିନେମାର ପ୍ରଶଂସା କରିଛନ୍ତି। ମେଜର ଫିଲ୍ମର ଅଭିନେତା ଆଦିବି ଶେଷ ଏହି ସିନେମାର ଉପଲବ୍ଧି ପାଇଁ ପ୍ରଶଂସା କରି ଟ୍ବିଟରରେ ନିଜ ଭଲପାଇବା ଓ ଖୁସି ବ୍ୟକ୍ତ କରିଛନ୍ତି ।
କେବଳ ସେତିକି ନୁହେଁ, ଏହି ସିନେମା ଓସ୍କାର କ୍ୱାଲିଫିକେସନ ରେସରେ ମଧ୍ୟ ସାମିଲ ହୋଇଥିଲା। ନିର୍ଦ୍ଦେଶକ ଦୀପକ ରେଡି ଏହି ଅବସରରେ ସିନେମା ନିର୍ମାଣ ସମୟର ସ୍ଥିତିକୁ ମନେ ପକାଇ କହିଥିଲେ, ଏହି ସିନେମାକୁ ରିଭର୍ସ ସ୍କ୍ରିନ ପ୍ଲେ ଜରିଆରେ କରିବା, ସେହି ସମୟରେ ଏତେ ସହଜ ନଥିଲା। ସିନେମାକୁ ମିଳୁଥିବା ପୁରସ୍କାର ତାଙ୍କୁ ଉସ୍ହାହିତ କରୁଥିବାର ସେ କହିଥିଲେ ।
ନାୟକ ବିରାଜ ଅଶ୍ୱିନ ଏଥିରେ ଖୁବ ସୁନ୍ଦର ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି । ଅଭିନେତ୍ରୀ ଦ୍ରିଶିକା ଚନ୍ଦରଙ୍କ ଏହା ପ୍ରଥମ ସିନେମା ଓ ସେ ମଧ୍ୟ ଅତି ସୁନ୍ଦର ଅଭିନୟ କରିଛନ୍ତି। ସେ ଅନୁପମ ଖେରଙ୍କ ଆକ୍ଟିଙ୍ଗ ସ୍କୁଲ-ଆକ୍ଟର ପ୍ରିପେରସ ର ଜଣେ ଆଲୁମିନି ହୋଇଥିବାରୁ ଏହି ସ୍କୁଲର ଇନଷ୍ଟାରେ ମଧ୍ୟ ତାଙ୍କ ସିନେମାର ଉପଲବ୍ଧି ପାଇଁ ଶୁଭେଛା ଦିଆଯାଇଛି।