ମନପ୍ରୀତ୍ ସିଂହ ରଚିଲେ ଇତିହାସ : ପ୍ଲେୟାର ଅଫ୍ ଦି ଇୟର ଜିତିବାରେ ହେଲେ ପ୍ରଥମ ଭାରତୀୟ
14/02/2020 at 12:47 PM

ନୂଆଦିଲ୍ଲୀ ୧୪।୨: ଭାରତୀୟ ହକି କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ। ଭାରତୀୟ ପୁରୁଷ ହକି ଅଧିନାୟକ ମନପ୍ରୀତ୍ ସିଂହ ରଚିଛନ୍ତି ଇତିହାସ। ପ୍ରଥମ ଭାରତୀୟ ଭାବେ ସେ ଅନ୍ତର୍ଜାତୀୟ ହକି ମହାସଂଘ (FIH) ପ୍ଲେୟାର ଅଫ୍ ଦି ଇୟର ପାଇଁ ମନୋନୀତ ହୋଇଛନ୍ତି।

ବେଲଜିୟମର ଆର୍ଥର ଭାନ୍ ଡୋରେନ୍ ଓ ଆର୍ଜେଣ୍ଟିନାର ଲୁକାସ ଭଲ୍ଲାଙ୍କୁ ପଛରେ ପକାଇ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭୋଟିଂରେ ସର୍ବାଧିକ ୩୫.୨ ପ୍ରତିଶତ ଭୋଟ୍ ପାଇଛନ୍ତି ମନପ୍ରୀତ୍ ସିଂହ।ଏହିପରି ଭାନ୍ ଡୋରେନ୍ ପାଇଛନ୍ତି ୧୯.୭ ପ୍ରତିଶତ ଓ ଭଲ୍ଲାଙ୍କୁ ୧୬.୫ ପ୍ରତିଶତ ଭୋଟ୍ ମିଳିଛି।

୧୯୯୯ ମସିହାରେ ଏହି (FIH) ପ୍ଲେୟାର ଅଫ୍ ଦି ଇୟର ପୁରସ୍କାରର ଆରମ୍ଭ ହୋଇଥିଲା ଏବଂ ଏହାପରେ ଏହି ପୁରସ୍କାର ଜିତିବାରେ ମନପ୍ରୀତ୍ ସିଂହ ପ୍ରଥମ ଭାରତୀୟ ଅଟନ୍ତି। ଭାରତ ପାଇଁ ବର୍ତ୍ତମାନ ସୁଦ୍ଧା ୨୬୦ଟି ମ୍ୟାଚ୍ ଖେଳିଥିବା ଏହି ହକି ଅଧିନାୟକ କହିଛନ୍ତି । ଏହି ପୁରସ୍କାର ପାଇଁ ସେ ନିଜକୁ ଖୁବ୍ ଗୌରବାନ୍ୱିତ ମନେକରିଛନ୍ତି ଏବଂ ଉକ୍ତ ପୁରସ୍କାରକୁ ସେ ନିଜ ଟିମ୍କୁ ସର୍ମପିତ କରିବାକୁ ଚାହିଁଛନ୍ତି । ଏହାସହ ସେ ବିଶ୍ୱରେ ଥିବା ନିଜର ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେଇଛନ୍ତି , ଯେଉଁମାନେ ତାଙ୍କ ସପକ୍ଷରେ ଭୋଟ ଦେଇ ତାଙ୍କୁ ଜିତାଇଛନ୍ତି ।

୨୦୧୯ର ଏହି FIH ପ୍ଲେୟାର ଅଫ୍ ଦି ପୁରସ୍କାର ଦୌଡ଼ରେ ଅନେକ ବଡ଼ ବଡ଼ ଖେଳାଳି ସାମିଲ୍ ହୋଇଥିଲେ । ବେଲଜିୟମର ଭିକ୍ଟର ୱେଗ୍ନେଜ୍ ଓ ଅଷ୍ଟ୍ରେଲିଆର ଆରାନ୍ ଜାଲେୱସ୍କି ଓ ଇଡ଼ି ଅକେଣ୍ଡନ୍ ପ୍ରମୁଖ ଏହି ପୁରସ୍କାରରେ ସାମିଲ ଥିଲେ ।

ମନପ୍ରୀତଙ୍କ ଅଧିନରେ ଭାରତ ଟୋକିଓ ଅଲମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲା। ଗତବର୍ଷ ଜୁନ୍ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ FIH ପୁରୁଷ ହକି ସିରିଜ୍ ଫାଇନାଲ ସମୟରେ ଭାରତ ପାଇଁ ନିଜର ୨୫୦ ଇଣ୍ଟରନ୍ୟାସନ୍ୟାଲ ମ୍ୟାଚ୍ ଖେଳିଥିଲେ । ତାଙ୍କର ଅଧିନାୟକତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇଥିଲା ।