ମଙ୍ଗଳବାର ନୂଆ ସଂସଦରେ ପ୍ରବେଶ: ଅଭିଭାଷଣ ରଖିବାକୁ ମନମୋହନ ସିଂହ ଓ ଶିବୁ ସୋରେନ୍ଙ୍କୁ ନିମନ୍ତ୍ରଣ
18/09/2023 at 11:26 PM

ନୂଆଦିଲ୍ଲୀ: ଆସନ୍ତାକାଲି(ସେପ୍ଟେମ୍ବର ୧୯) ନୂଆ ସଂସଦ ଭବନରେ ପ୍ରବେଶ କରିବେ ସାଂସଦ। ଏଥିପାଇଁ ଏକ ସ୍ମୃତି ଚାରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତୀୟ ସଂସଦୀୟ ସମୃଦ୍ଧି ବିଷୟରେ ସ୍ମୃତି ଚାରଣ ପାଇଁ ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି।
ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ସରକାର। ସେହିପରି ସଂସଦର ଉଭୟ ସଦନରେ ସଦସ୍ୟ ରହିଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଚେୟାରମ୍ୟାନ୍ ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ସ୍ପିକର ଓମ୍ ବିର୍ଲା କାର୍ଯ୍ୟକ୍ରମର ନେତୃତ୍ୱ ନେବେ ବୋଲି ପିଟିଆଇ ଖବର ପ୍ରକାଶ କରିଛି।
କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ରାଜ୍ୟସଭା ଗୃହର ନେତା ପୀୟୁଷ ଗୋୟଲ, ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଲୋକସଭା କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀଙ୍କ ମଧ୍ୟ ବକ୍ତବ୍ୟ ରଖିବେ। ବରିଷ୍ଠ ଲୋକସଭା ସାଂସଦ ମନେକା ଗାନ୍ଧୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ନିମନ୍ତ୍ରଣ କରାଯାଇଛି।
ପଢ଼ନ୍ତୁ-ଆସନ୍ତାକାଲିଠୁ ବଦଳିଯିବ ସଂସଦ ଭବନ, ଅତୀତ ପାଲଟିବ ୭୫ ବର୍ଷର ଗୌରବମୟ ଇତିହାସ
ନୂଆ ସଂସଦ ଭବନରେ କାର୍ଯ୍ୟକ୍ରମ
ପ୍ରାୟ ଦେଢ଼ ଘଣ୍ଟାର ଏହି କାର୍ଯ୍ୟକ୍ରମ ଜାତୀୟ ସଂଗୀତ ସହିତ ଆରମ୍ଭ ଓ ଶେଷ ହେବ। ଏହାପରେ ବରିଷ୍ଠ ନେତାମାନେ ସମସ୍ତ ସାଂସଦଙ୍କୁ ନୂତନ ସଂସଦ ଭବନକୁ ନେଇଯିବେ। ତେବେ ସେଣ୍ଟ୍ରାଲ୍ ହଲ୍ରେ କାର୍ଯ୍ୟକ୍ରମ ପୂର୍ବରୁ ୩ଟି ଅଲଗା ଅଲଗା ଗ୍ରୁପ୍ର ଫଟୋ ଉଠାଯିବ। ପ୍ରଥମ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କର ଫଟୋ ଉଠାଯିବ।
ଦ୍ୱିତୀୟ ଓ ତୃତୀୟରେ ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କର ଅଲଗା ଅଲଗା ଫଟୋଗ୍ରାଫୀ ହେବ। ଏହି ଫଟୋଗୁଡ଼ିକୁ ସବୁ ପୁରୁଣା ସଂସଦ ଭବନର ଭିତର ପ୍ରାଙ୍ଗଣରେ ଉଠାଯିବ। ସୂଚନା ଥାଉକି, ନୂଆ ସଂସଦ ଭବନରେ ଲୋକସଭା କାର୍ଯ୍ୟକାଳ ୧.୧୫ ରେ ଆରମ୍ଭ ହେବ। ଅନ୍ୟପଟେ ରାଜ୍ୟସଭା ୧.୧୫ରେ ଆରମ୍ଭ ହେବ।
ପଢ଼ନ୍ତୁ-ମହିଳା ସଂରକ୍ଷଣ ବିଲ୍କୁ କ୍ୟାବିନେଟ୍ ମୋହର! ବିଲ୍ ଆଗତ ପାଇଁ ଏକାଧିକ ଦଳ କରୁଥିଲା ଦାବି