ମାଞ୍ଜା ସୂତା ବ୍ୟବହାର ନେଇ ରୋକ ଲଗାଇଲେ ହାଇକୋର୍ଟ; କଟକଣା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | January 09, 2023 IST

କଟକ ୦୯/୦୧: ପ୍ଲାଷ୍ଟିକ ମାଞ୍ଜା ସୂତା ବା ଗୁଡ଼ି ଉଡ଼ାଇବା ସୂତା ବ୍ୟବହାର ଉପରେ ରୋକ ଲଗାଇଲେ ହାଇକୋର୍ଟ। ଏନେଇ ହାଇକୋର୍ଟ କଟକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। କାରଣ ଆଗକୁ ପୁରୁଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ବେଳେ ସହରରେ ବଢିବ। ତେଣୁ ଭିଡରେ ପ୍ଲାଷ୍ଟିକ ଗୁଡ଼ି ସୂତାକୁ ନେଇ ଯେପରି କୌଣସି ଅଘଟଣ ନହୁଏ ସେଥିପାଇଁ ଉଚ୍ଚ ନ୍ୟାୟାଳୟ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି। ମାଞ୍ଜା ସୂତାରେ ସମ୍ଭାବ୍ୟ ଅଘଟଣ ଏଡାଇବାକୁ ଜିଲ୍ଲା ପ୍ରଶାସନ ଯଥେଷ୍ଟ ଧ୍ୟାନ ଦେବ ବୋଲି ଜଣାପଡ଼ିଛି। ସେଥିପାଇଁ ପ୍ଲାଷ୍ଟିକ ସୁତା କଟକଣା ନିୟମ କାର୍ଯ୍ୟକାରୀ କରିବାକୁ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି ମାଞ୍ଜା ସୁତା ଦ୍ୱାରା  କଟକ ତଥା ଓଡ଼ିଶା ବିଭିନ୍ନ ଅଞ୍ଚରେ ଅନେକ ଅଘଟଣ ଦେଖିବାକୁ ମିଳିଛି। ଏଥିରେ ବେକ କଟି ଲୋକଙ୍କର ମୃତ୍ୟୁ ହେବା ସହିତ ଅନେକ ସମୟରେ ଗୁରୁତର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ୨୦୧୬ରୁ ଚାଇନିଜ ପ୍ଲାଷ୍ଟିକ ମାଞ୍ଜା ସୂତାର ବ୍ୟବହାରକୁ ନିଷେଧ କରାଯାଇଛି। ଏହା ସତ୍ୱେବି କଟକରେ ଏହି ସୂତାର ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଆଗକୁ ହକି ବିଶ୍ୱକପ ଏବଂ ମକର ସଂକ୍ରାନ୍ତି ଥିବାରୁ ପ୍ଲାଷ୍ଟିକ ସୁତା ଓ ଚଇନିଜ ମାଞ୍ଜା ବ୍ୟବହାର ଉପରେ ରୋକ ଲଗାଇବାକୁ ଆଇନଜୀବି ପଦ୍ମାଳୟା ମହାପାତ୍ର ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଆଗାମି ଏପ୍ରିଲ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.